Categories: ଜାତୀୟ

ସରକାରଙ୍କ ଚିନ୍ତାଜନକ ତଥ୍ୟ, ସଡ଼କ ଦୁର୍ଘଟଣାରେ ଦିନକୁ ୪୭୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୦: ୨୦୨୩ରେ ଦେଶରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟାକୁ ନେଇ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ସହ ରାଜ୍ୟଗୁଡିକ ଅଂଶୀଦାର କରିଥିବା ତଥ୍ୟ ଅନୁଯାୟୀ ୨୦୨୩ ମସିହାରେ ପ୍ରାୟ ୧.୭୩ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏହାର ଅର୍ଥ ପ୍ରତିଦିନ ହାରାହାରି ୪୭୪ ଲୋକ ପ୍ରାଣ ଯାଉଛି କିମ୍ବା ପ୍ରତି ୩ ମିନିଟରେ ପ୍ରାୟ ଜଣଙ୍କର ମୃତ୍ୟୁ ହେଉଛି।

ଏହି ସମସ୍ୟାର ଗମ୍ଭୀରତା ଏବଂ ଦୁର୍ଘଟଣା ପଛର କାରଣ ଆକଳନ କରିବା ପାଇଁ ସରକାର ଜାତୀୟ ସ୍ତରରେ ସଡ଼କ ଦୁର୍ଘଟଣା ତଥ୍ୟ ସଂଗ୍ରହ ଆରମ୍ଭ କରିବା ପରଠାରୁ ଏହା ଏକ ବର୍ଷ ମଧ୍ୟରେ ସର୍ବାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ଗତ ବର୍ଷ ସର୍ବାଧିକ ୪.୬୩ ଲକ୍ଷ ଲୋକ ଆହତ ହୋଇଥିବା ବେଳେ ସଡ଼କ ଦୁର୍ଘଟଣା ଯୋଗୁଁ ଆହତଙ୍କ ସଂଖ୍ୟା କିପରି ବୃଦ୍ଧି ପାଉଛି ତାହା ତଥ୍ୟରେ ଦର୍ଶାଯାଇଛି, ଯାହାକି ୨୦୨୨ ତୁଳନାରେ ୪ ପ୍ରତିଶତ ଅଧିକ ଥିଲା।

ସଡ଼କ ପରିବହନ ମନ୍ତ୍ରଣାଳୟ ଦ୍ୱରୋ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୨୨ରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧.୬୮ ଲକ୍ଷ ହୋଇଥିବାବେଳେ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ୱାରା ସଂଗୃହିତ ତଥ୍ୟ ଅନୁଯାୟୀ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧.୭୧ଲକ୍ଷ ଥିଲା। ଉଭୟ ଏଜେନ୍ସି ୨୦୨୩ପାଇଁ ଏପର୍ଯ୍ୟନ୍ତ ସଡ଼କ ଦୁର୍ଘଟଣା ଆକଳନ ପ୍ରକାଶ କରି ନାହାଁନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ତାମିଲନାଡୁ, ପଶ୍ଚିମବଙ୍ଗ, ପଞ୍ଜାବ, ଆସାମ ଏବଂ ତେଲଙ୍ଗାନା ସମେତ ଅତି କମରେ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ୨୦୨୨ତୁଳନାରେ ସଡ଼କ ଦୁର୍ଘଟଣାର ବୃଦ୍ଧି ରେକର୍ଡ କରିଛି। ଆନ୍ଧ୍ରପ୍ରଦେଶ, ବିହାର, ଦିଲ୍ଲୀ, କେରଳ ଏବଂ ଚଣ୍ଡିଗଡ଼ ଭଳି ରାଜ୍ୟରେ ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ ଘଟିଥିବା କୁହାଯାଇଛି।

Share