‘ଅଭିଯୋଗରେ ରହିଛି ସତ୍ୟତା’

ଖୋର୍ଦ୍ଧା ଅଫିସ,୮ା୧୦:ଖୋର୍ଦ୍ଧା ବେଗୁନିଆ ତହସିଲ ଅନ୍ତର୍ଗତ ସାରୁଅ ଗ୍ରାମରେ ଓଟିଭି ପକ୍ଷରୁ ଜମି ହଡ଼ପ ଘଟଣାରେ ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି। ପ୍ରାଥମିକ ତଦନ୍ତରେ ଅଭିଯୋଗକାରୀଙ୍କ ଅଭିଯୋଗରେ ସତ୍ୟତା ରହିଥିବା ଅତିରିକ୍ତ ଜିଲାପାଳ ମନୋଜ ପାଢ଼ୀ କହିଛନ୍ତି। ସରକାରୀ ଜାଗାକୁ ଅକ୍ତିକାର କରି ରଖିଛନ୍ତି, ତାହାର ତଦନ୍ତ କରାଯିବ। ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଦଳିତ ଜାତିର ବ୍ୟକ୍ତିଙ୍କୁ ଜାତିଆଣ ଆକ୍ଷେପ, ଜମିକୁ ଯିବା ଲାଗି ରାସ୍ତା ନ ଛାଡ଼ିବା ଘଟଣାରେ ଏସି ଓ ଏଏସସି ଆକ୍ଟରେ ବାଘମାରୀ ଥାନାରେ ଓଟିଭି ଏମଡି, ତାଙ୍କ ବାପା ଓ ଭାଇ, ଗୁମସ୍ତାଙ୍କ ନାମରେ ୨ଟି ପୃଥକ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଏସପି ଅଜୟ ପ୍ରତାପ ସ୍ବାଇଁ ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରିଛନ୍ତି। ଏ ନେଇ ଏସ୍‌ପି ସ୍ବାଇଁ କହିଛନ୍ତି, ଜାତିଆଣ ଆକ୍ଷେପ ନେଇ ଏସ୍‌ଡିପିଓ ସଦର ସୁଶୀଲ କୁମାର ମିଶ୍ରଙ୍କୁ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଜମିଜମା ଅଭିଯୋଗ ଉପରେ ରିପୋର୍ଟ ଦେବା ଲାଗି ବେଗୁନିଆ ତହସିଲଦାରଙ୍କୁ ଅନୁରୋଧ କରାଯାଇଛି। ତହସିଲଦାରଙ୍କ ପକ୍ଷରୁ ରିପୋର୍ଟ ଆସିବା ପରେ ପ୍ରତିପକ୍ଷଙ୍କୁ ନିଜ ପକ୍ଷ ଲାଗି ନୋଟିସ୍‌ କରାଯିବ। ଏହାପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Share