ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ
ଏବେ ତୈଳ ଦର ବଢ଼ିବଢ଼ି ଚାଲିଛି। ତୈଳ ବ୍ୟବହାର ଯୋଗୁ ବାୟୁ ପ୍ରଦୂଷିତ ହୋଇ ଆମ ହାରାହାରି ଆୟୁଷ ହ୍ରାସ ପାଉଛି ଓ ଦିଲ୍ଲୀରେ ୯.୪ ବର୍ଷ ହ୍ରାସ ପାଇଲାଣି। ଆଗକୁ ତୈଳ ବିକଳ୍ପ ସ୍ବଚ୍ଛ ଇନ୍ଧନରେ ଯାନ ଚାଲିବ। ଏହାଦ୍ୱାରା ତୈଳ ବ୍ୟବହାର ଓ ଦରହ୍ରାସ ପାଇ ତୈଳ ଉତ୍ପନ୍ନକାରୀ ରାଷ୍ଟ୍ରଙ୍କ ସମସ୍ୟା ବଢ଼ିଯିବ। ଗତ ଜୁନ୍ ୬ ତାରିଖରୁ ଜୁଲାଇ ଶେଷ ମଧ୍ୟରେ ତୈଳ ବିପଣନ କମ୍ପାନୀଗୁଡ଼ିକ ଡିଜେଲ୍ ଦର ୨୯ ଥର ଓ ପେଟ୍ରୋଲ୍ ଦର ୨୧ ଥର ବୃଦ୍ଧି କରିଛନ୍ତି। ଡିଜେଲ୍ ଓ ପେଟ୍ରୋଲ୍ ଦରବୃଦ୍ଧିର ପ୍ରମୁଖ କାରଣ ହେଲା, ତୈଳ ଉତ୍ପାଦନକାରୀ ରାଷ୍ଟ୍ରଙ୍କ ଲାଭଖୋର ମନବୃତ୍ତି। ଅପରପକ୍ଷରେ ତୈଳ ପମ୍ପ ମୂଲ୍ୟର ବଡ଼ ଅଂଶ ଟିକସ ଆକାରରେ ଯାଏ ସରକାରୀ ତହବିଲ୍କୁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ହେଉଛି ତୈଳ ମୂଲ୍ୟର ୬୬%। ଭାରତରେ ତୈଳର ଖୁଚୁରା ମୂଲ୍ୟ ଏସିଆରେ ସର୍ବାଧିକ। ପାକିସ୍ତାନରେ ତୈଳ ମୂଲ୍ୟ ଭାରତର ମୂଲ୍ୟର ଅଧା।
ତୈଳ ଉତ୍ପାଦନକାରୀ ରାଷ୍ଟ୍ର କିପରି ମନମୁଖି ତୈଳଦର ବୃଦ୍ଧି କରନ୍ତି, ତା’ର ଏକ ଉଦାହରଣ ଦେବା। ୨୦୦୮ ମସିହାରେ ତୈଳ ଉତ୍ପାଦନକାରୀ ରାଷ୍ଟ୍ରମାନେ ସଲାସୁତୁରା କରି ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କଲେ ଓ ନିଅଣ୍ଟିଆ ବଜାର ସୃଷ୍ଟିକରି ତୈଳଦର ବୃଦ୍ଧି କଲେ। ସେତେବେଳେ ଜନଅସନ୍ତୋଷ ତୀବ୍ର ହେଲା। ତୈଳ ଉତ୍ପାଦନକାରୀ ରାଷ୍ଟ୍ରସମୂହର ସେକ୍ରେଟାରୀ ଜେନେରାଲ ଅବଦୁଲ ବାଦ୍ରୀ ଜନ ଅସନ୍ତୋଷରେ ବ୍ୟଥିତ ହୋଇ ତୈଳଦର ବୃଦ୍ଧିରେ ହସ୍ତକ୍ଷେପ କରିବାରୁ ଉକ୍ତ ରାଷ୍ଟ୍ରମାନେ ଉତ୍ପାଦନ ବୃଦ୍ଧି କଲେ ଓ ତୈଳଦର ଖସିଲା। ଏବେ ଆକଳନ କରାଗଲାଣି, ଆଗକୁ ତୈଳଚାଳିତ ଯାନ ରାସ୍ତାରୁ ଧୀରେ ଧୀରେ ଉଭେଇଯିବ ଓ ତୈଳ ଉତ୍ପାଦନ ସାଙ୍ଗକୁ ଦର ମଧ୍ୟ ହ୍ରାସ ପାଇବ।
୨୦୧୭ ମେ ୨୧ରେ ଏକ ପ୍ରମୁଖ ଖବର ପ୍ରକାଶ ପାଇଥିଲା। ସେଥିରେ ଜଣେ ଆମେରିକୀୟ ଅର୍ଥନୀତିଜ୍ଞଙ୍କ ପୂର୍ବାନୁମାନ ସମ୍ପର୍କରେ ଦର୍ଶାଯାଇଥିଲା ଯେ, ୮ ବର୍ଷରେ ରାସ୍ତାରୁ ଉଭେଇଯିବ ପେଟ୍ରୋଲ୍ କାର। ୨୦୨୪ ସୁଦ୍ଧା ଖୁବ୍ ସଙ୍କୁଚିତ ହୋଇଯିବେ ଡିଲର୍ ଓ ୨୫ ଡଲାରକୁ ଖସିଆସିବ ଅଶୋଧିତ ତୈଳ ବ୍ୟାରେଲ୍। ଆଗକୁ ସମସ୍ୟା ବଳୟକୁ ଆସିବେ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଓ ରାଜୁତି କରିବ ଇଲେକ୍ଟ୍ରୋନିକ୍ ଯାନ।
ନୀତି ଆୟୋଗ ପକ୍ଷରୁ ସେପ୍ଟେମ୍ବର ୨୦୧୮ରେ ଆୟୋଜିତ ଗ୍ଲୋବାଲ୍ ମୋବିଲିଟି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଳ୍ପ ଇନ୍ଧନ ବ୍ୟବହାର କରି ପରିବେଶ ପ୍ରଦୂଷଣରେ ରୋକ୍ ଦେବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇ କହିଥିଲେ ଯେ, ଇଲେକ୍ଟ୍ରିକ୍ ଯାନ ବ୍ୟବହାରକୁ ଅଧିକ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସରକାର ଏକ ସ୍ଥିର ନୀତି ଆଣିବାକୁ ପ୍ରତିଶ୍ରୁତିବଦ୍ଧ। ନୀତି ଆୟୋଗ କହିଛି, ଦେଶବାସୀ ଇଲେକ୍ଟ୍ରୋନିକ୍ ସ୍କୁଟର ବ୍ୟବହାର କଲେ ଆସନ୍ତା ୫ରୁ ୭ ବର୍ଷ ମଧ୍ୟରେ ଅଶୋଧିତ ତୈଳ କିଣା ବାବଦରେ ୧.୨ ଲକ୍ଷ କୋଟି ଟଙ୍କା ଦେଶରେ ସଞ୍ଚୟ ହୋଇପାରିବ।
ତୈଳ ଦହନରୁ ନିର୍ଗତ ବାୟୁ ପ୍ରଦୂଷଣକାରୀ ଅଙ୍ଗାରକାମ୍ଳ, ମିଥେନ୍, ହାଇଡ୍ରୋକାର୍ବନ୍ ଇତ୍ୟାଦି ଗ୍ୟାସ୍ ବିଶ୍ୱରେ ବାୟୁ ପ୍ରଦୂଷଣଜନିତ ସମସ୍ୟା ସୃଷ୍ଟି କଲାଣି। ବାୟୁ ପ୍ରଦୂଷଣ ଯୋଗୁ ବିଭିନ୍ନ ପ୍ରକାର ବିପର୍ଯ୍ୟୟ ସୃଷ୍ଟି ହେଲାଣି। ଘନ ଘନ ବାତ୍ୟା, ଗ୍ରୀଷ୍ମର ତୀବ୍ରତା ଓ ଅବଧି ବୃଦ୍ଧି, ଅନାବୃଷ୍ଟି, ସ୍ବଳ୍ପ ବୃଷ୍ଟି, ସ୍ବଳ୍ପ ସମୟରେ ବାଦଲ ଫଟା ବୃଷ୍ଟି, ଶୀତ ଅବଧି ହ୍ରାସ ଇତ୍ୟାଦି ଘଟୁଛି ବାୟୁପ୍ରଦୂଷଣରୁ। ବାୟୁ ପ୍ରଦୂଷଣ ମନୁଷ୍ୟର ଆୟୁଷ ହ୍ରାସ କରି ନୀରବ ଘାତକ ସାଜିଲାଣି। ବାୟୁ ପ୍ରଦୂଷଣ କିପରି ମାନବ ସମାଜର ହାରାହାରି ଆୟୁଷ ହ୍ରାସ କରୁଛି, ତା’ର ଏକ ଦୃଷ୍ଟାନ୍ତ ଦେବା। ଏୟାର କ୍ୱାଲିଟି ଲାଇଫ୍ ଇଣ୍ଡେକ୍ସ ୨୦୨୦ ବାର୍ଷିକ ରିପୋର୍ଟରେ କୁହାଯାଇଛି, ବାଂଲାଦେଶ ପରେ ଭାରତ ଦ୍ୱିତୀୟ ସର୍ବାଧିକ ବାୟୁ ପ୍ରଦୂଷିତ ରାଷ୍ଟ୍ର। ମହାମାରୀ ଓ ଯୁଦ୍ଧଠାରୁ ବାୟୁ ପ୍ରଦୂଷଣ ଅଧିକ ବିପଜ୍ଜନକ। ବାୟୁ ପ୍ରଦୂଷଣ ଯୋଗୁ ଲୋକଙ୍କ ମସ୍ତିଷ୍କ, ଫୁସ୍ଫୁସ୍ ଓ ଶରୀରର ଅନ୍ୟାନ୍ୟ ଅଙ୍ଗ ଉପରେ କୁପ୍ରଭାବ ପକାଇ ଆୟୁଷ ହ୍ରାସ କରିଚାଲିଛି। ଭାରତରେ ସର୍ବାଧିକ ବାୟୁ ପ୍ରଦୂଷଣ ହୋଇଛି ଲକ୍ଷ୍ନୌରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଧାର୍ଯ୍ୟ ବାୟୁ ପ୍ରଦୂଷଣଠାରୁ ଏଠାରେ ପ୍ରଦୂଷଣ ୧୧ଗୁଣ ଅଧିକ ହୋଇ ଲୋକଙ୍କ ହାରାହାରି ଆୟୁଷ ୧୦.୩ ବର୍ଷ ହ୍ରାସ ପାଉଛି। ଯେଉଁ ଯେଉଁ ରାଜ୍ୟରେ ବାୟୁ ପ୍ରଦୂଷଣଜନିତ ହାରାହାରି ଆୟୁଷ ହ୍ରାସ ପାଉଛି, ସେଗୁଡ଼ିକ ହେଲା- ଉତ୍ତରଭାରତ ରାଜ୍ୟରେ ୮ ବର୍ଷ, ଦିଲ୍ଲୀରେ ୯.୪ ବର୍ଷ, ପଶ୍ଚିମବଙ୍ଗ ଓ ବିହାରରେ ୭ ବର୍ଷ। ଉକ୍ତ ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଯୁଦ୍ଧ ଓ ଆତଙ୍କବାଦ ଯୋଗୁ ଭାରତରେ ହାରାହାରି ଆୟୁଷ କମିଛି ୨୩ ଦିନ।
ତୈଳ ଉତ୍ପନ୍ନ ପରେ ତାକୁ ଦହନ କରି ସେଥିରୁ ଶକ୍ତି ଉତ୍ପନ୍ନ କରି ସେ ଶକ୍ତିରେ ଯାନବାହନ, କଳକାରଖାନା, ଯନ୍ତ୍ରପାତି ଇତ୍ୟାଦି ଚଳାଇବାକୁ ହୁଏ। ଏ ଦହନରୁ ପ୍ରଦୂଷିତ ଗ୍ୟାସ୍ ଓ ଧୂଆଁ ନିର୍ଗତ ହେଉଥିବାରୁ ଏ ଶକ୍ତିକୁ କୁହାଯାଏ କୃଷ୍ଣଶକ୍ତି। ଏ ତୈଳ ଉତ୍ସ ବାହାରେ ଆହୁରି ଅନେକ ଉତ୍ସରୁ ଯେଉଁସବୁ ଶକ୍ତି ଉତ୍ପନ୍ନ କରାଯାଏ, ତାକୁ କୁହାଯାଏ ସ୍ବଚ୍ଛ ଇନ୍ଧନରୁ ସବୁଜ ଶକ୍ତି। ସବୁଜଶକ୍ତି ଦ୍ୱାରା ଯାନବାହନ ଚଳାଚଳ, ରାସ୍ତା, ଗୃହ ଆଦି ଆଲୋକିତ କରାଗଲାଣି। ସବୁଜ ଶକ୍ତିର ଉତ୍ସ ସବୁ ହେଲା, ପବନ, ଖରା, ଜଳବିଦ୍ୟୁତ୍, ଉଦ୍ଭିଦର ତୈଳ, ଉଦ୍ଯାନ, ଆଣବିକ ପଦାର୍ଥ, ତରଙ୍ଗ, ଭୂତଳ ଉତ୍ତାପ, ଗୋବର ଗ୍ୟାସ୍ ଇତ୍ୟାଦି। ସବୁଜ ଶକ୍ତି ଉତ୍ପାଦନ ଓ ବ୍ୟବହାର ବୃଦ୍ଧି କରିବାକୁ ଆମ ରାଜ୍ୟରେ ୨୦୧୩ ମସିହାରୁ ସବୁଜ ଶକ୍ତି ଉନ୍ନୟନ ନିଗମ ଗଠନ କରାଯାଇଛି। ସେଥିରେ ବିଭିନ୍ନ ଉତ୍ସରୁ ଯେତେ ପରିମାଣର ଶକ୍ତି (ମେଗାଓ୍ବାଟ୍ରେ) ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ସେସବୁ ହେଲା- ଖରା (ସୌରଶକ୍ତି)ରୁ ୧୪,୦୦୦, ପବନରୁ ୧,୭୦୦, ଗୋବର ଗ୍ୟାସ୍ରୁ ୩୫୦, କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପରୁ ୧୬୦, ବର୍ଜ୍ୟବସ୍ତୁରୁ ୨୦, ସର୍ବମୋଟ୍ ୧୬,୨୩୦ ମେଗାଓ୍ବାଟ୍।
ଆମ ରାଜ୍ୟ ଓ ଦେଶରେ ପ୍ରବଳ ଖରା ହୁଏ। ଏଥିରୁ ପ୍ରଚୁର ସୌରଶକ୍ତି ଉତ୍ପନ୍ନ କରାଯାଇପାରିବ। ସୌରଶକ୍ତିର ବିଶେଷତ୍ୱ ହେଉଛି, ଅପହଞ୍ଚ ଜଙ୍ଗଲ ଓ ପାର୍ବତ୍ୟ ଅଞ୍ଚଳରେ ସୌରଶକ୍ତି ମିଳିପାରିବ। ସୌରଶକ୍ତି ବିଭିନ୍ନ କାର୍ଯ୍ୟରେ ଲାଗିବା ସାଙ୍ଗକୁ, ସୌରଶକ୍ତିରେ ଦି’ଚକିଆ, ତିନିଚକିଆ, ଚାରିଚକିଆ ଯାନ ଚାଲିଲାଣି ଓ ଏପରି କି ଉଡ଼ାଜାହାଜ ଚାଲିଲାଣି। ସାହାରା ମରୁଭୂମିରେ ମିଳୁଥିବା ସୌରଶକ୍ତି ଦ୍ୱାରା ସାରା ୟୁରୋପକୁ ଆଲୋକିତ କରିବା ପାଇଁ ବୈଜ୍ଞାନିକମାନେ ଆକଳନ କରିଛନ୍ତି। ଶକ୍ତି ଇତିହାସରୁ ଜଣାଯାଏ, ୪,୦୦୦ ବର୍ଷ ପୂର୍ବରୁ ମନୁଷ୍ୟ ପବନଶକ୍ତି ବ୍ୟବହାର ଜାଣିଥିଲା। ପବନ ଶକ୍ତିର ବିଶେଷତ୍ୱ ହେଲା, ଏହା ପୃଥିବୀର କୋଣ ଅନୁକୋଣରେ ମିଳିପାରିବ। ୧୪୦୦ ବର୍ଷ ପୂର୍ବେ ପାରସ୍ୟର ଲୋକେ ପବନ ଶକ୍ତିରେ ଶସ୍ୟକୁ ଗୁଣ୍ଡ କରୁଥିଲେ। ୧୮୦୦ ମସିହା ବେଳକୁ ୟୁରୋପ ଓ ଚାଇନାରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ପବନ କଳ ଚାଲୁଥିଲା। ୧୯୩୦ ମସିହା ବେଳକୁ ଆମେରିକାରେ ୬ ଲକ୍ଷ ପବନ କଳ ଚାଲି ଜଳ ଉତ୍ତୋଳନ ସାଙ୍ଗକୁ, ବିଜୁଳି ଉତ୍ପାଦନ ହେଉଥିଲା। ଭାରତରେ ପବନ ଶକ୍ତିରୁ ୮୦,୦୦୦ ମେଗାଓ୍ବାଟ୍ ଶକ୍ତି ଉତ୍ପାଦନ ହୋଇପାରିବ। ପବନରୁ ଅତି ଶସ୍ତାରେ ଶକ୍ତି ଉତ୍ପାଦନ କରାଯାଏ। ୨୦୧୨ ମସିହାରେ ବାର୍ଷିକ ୧୧.୬୨ ବିଲିୟନ କିଲୋଓ୍ବାଟ୍ ଆଓ୍ବାର ବାର୍ଷିକ ପବନ ଶକ୍ତି ବ୍ୟବହାର କରାଯାଇଥିବା ଯୋଜନା କମିଶନ ସୂତ୍ରରୁ ଜଣାଯାଏ। ଜାଫ୍ରୋଟା ବା ବାଇଗବା ଗଛ ଫଳରୁ ବାହାରୁଥିବା ତୈଳରେ ଚାରିଚକିଆ, ଦୁଇଚକିଆ ଯାନ ଚାଲିଲାଣି। ଶସ୍ତାରେ ମିଳୁଥିବା ବାଇଗବା ତୈଳ ସହ ଜେଟ୍ ତୈଳ ମିଶାଇ ନ୍ୟୁଜିଲାଣ୍ଡରେ ବିମାନ ଚାଲିଲାଣି। ଆମ ଦେଶ ଓ ରାଜ୍ୟରେ ବାଇଗବା ଚାଷର ସୁଯୋଗ ଅଛି।
ପୃଥିବୀରେ ଗଚ୍ଛିତ ତେଜସ୍କ୍ରିୟ ପଦାର୍ଥରୁ ପରମାଣୁ ଶକ୍ତି ଉତ୍ପାଦନ କରାଯାଏ। ପୃଥିବୀରେ ଏହାର ଭଣ୍ଡାର ଏତେ ଅଛି ଯେ, ଏଥିରୁ ଉତ୍ପନ୍ନ ଶକ୍ତି ଦ୍ୱାରା ବିଶ୍ୱବାସୀଙ୍କ ଆବଶ୍ୟକ ସମସ୍ତ ଶକ୍ତି ଶହ ଶହ ବର୍ଷ ପୂରଣ କରିପାରିବ। ଭାରତରେ ପରମାଣୁ ଶକ୍ତି ଉତ୍ପାଦନର ଶୁଭାରମ୍ଭ କରାଯାଇଥିଲା ୧୯୬୯ ମସିହାରେ ବମ୍ବେର ତାରାପୁରଠାରେ ସ୍ଥାପନ କରାଯାଇଥିବା ପ୍ରଥମ ରିଆକ୍ଟରରୁ। ୨୦୧୬ ମସିହା ବେଳକୁ ଦେଶରେ ୧୭ଟି ରିଆକ୍ଟରରୁ ୪,୧୨୦ ମେଗାଓ୍ବାଟ୍ ଶକ୍ତି ଉତ୍ପନ୍ନ କରାଯାଇଥିଲା ଓ ୨୦୨୦ ବେଳକୁ ଏହାର ଉତ୍ପାଦନ ଲକ୍ଷ୍ୟ ୨୦,୦୦୦ ମେଗାଓ୍ବାଟ୍କୁ ରଖାଯାଇଥିଲା।
୧୯୭୦ ମସିହାରେ ବିଶ୍ୱରେ ତୈଳ ସଂକଟ ଦେଖାଗଲା ବେଳେ, ଉଦ୍ଯାନ ଇନ୍ଧନର ପରିକଳ୍ପନା କରାଯାଇଥିଲା। ତରଳ ଉଦ୍ଯାନକୁ ପେଟ୍ରୋଲ ପରି ବ୍ୟବହାର କରି ପେଟ୍ରୋଲିୟମର ୩ ଗୁଣ ଶକ୍ତି ଉତ୍ପାଦନ କରାଯାଇପାରେ। ପ୍ରଥମେ ୨୦୦୯ ମସିହାରେ ଅଷ୍ଟ୍ରେଲିଆ ସରକାର ଉଦ୍ଯାନ ଶକ୍ତିରେ ଚାଳିତ ୩ଟି ବସ୍କୁ ରାସ୍ତାକୁ ଛାଡ଼ିଥିଲେ। ସେହିବର୍ଷ ଇଣ୍ଡିଆନ୍ ଅଏଲ୍ କର୍ପୋରେଶନ ଦେଶର ପ୍ରଥମ ଉଦ୍ଯାନ ଇନ୍ଧନ ପମ୍ପ ଦିଲ୍ଲୀରେ ପ୍ରତିଷ୍ଠା କଲେ।
ଉପରୋକ୍ତ ବିଭିନ୍ନ ଶକ୍ତି ଉତ୍ସରୁ ନିର୍ମଳ ବା ସବୁଜ ଶକ୍ତି ଉତ୍ପାଦନ କରି ପ୍ରଦୂଷଣକାରୀ ତୈଳଶକ୍ତିଠାରୁ ଦୂରେଇ ଆସିପାରିବା।
କୋଟିତୀର୍ଥ, ଭୁବନେଶ୍ୱର
ମୋ: ୭୦୦୮୮୪୬୨୭୨