ପାଟଣା,୧୯।୧(ସ୍ବ.ପ୍ର.): ଗାଁକୁ ଭଲ ରାସ୍ତା ନ ଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଷ୍ଟ୍ରେଚରରେ ବୁହାହୋଇ ଆମ୍ବୁଲାନ୍ସ ପାଖକୁ ଯାଇଥିଲେ ରୋଗୀ। ବିଳମ୍ବରେ ଚିକିତ୍ସାଳୟରେ ପହଞ୍ଚିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ସାହାରପଡା ବ୍ଲକର ସିଲିପଦା ପଞ୍ଚାୟତ ସିଲିପଦା ହରିଜନ ସାହିରେ।
ସୂଚନାଯୋଗ୍ୟ, ସିଲିପଦା ହରିଜନ ସାହିର ବୈରାଗୀ ପାତ୍ରଙ୍କ ମଙ୍ଗଳବାର ରାତିରେ ପେଟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ। ହେଲେ ରାସ୍ତା ଭଲ ନ ଥିବାରୁ ସାହି ଭିତରକୁ ଆମ୍ବୁଲାନ୍ସ ପଶି ପାରି ନ ଥିଲା। ଗାଁ ଯୁବକଙ୍କ ସହାୟତାରେ ଆମ୍ବୁଲାନ୍ସ କର୍ମଚାରୀ ମିଶି ୫ଶହ ମିଟରରୁ ଊଦ୍ଧର୍ବ ରାସ୍ତା ଷ୍ଟ୍ରେଚରରେ ତାଙ୍କୁ ନେଇ ଆମ୍ବୁଲାନ୍ସରେ ଯାଇଥିଲେ। ବିଳମ୍ବରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ଫଳରେ ବୈରାଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।