ଅଧା ରାସ୍ତାରେ ଅଚଳ ହେଲା ଆମ୍ବୁଲାନ୍ସ, ଦୁଇ ଘଣ୍ଟା ଧରି ପଡ଼ିରହିଲେ ରୋଗୀ

ମୋରଡ଼ା,୬ା୮(ସ୍ମାରକ ମାଜୀ): ଲୋକଙ୍କୁ ଯଥାଶୀଘ୍ର ଉନ୍ନତସେବା ଯୋଗାଇ ଦେବା ପାଇଁ ସରକାର ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଚିତ୍ରଡ଼ାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗୋଟିଏ ୧୦୮ ଆମ୍ବୁଲାନ୍ସ ଅଧା ରାସ୍ତାରେ ଖରାପ ହେବା ଏବଂ ରୋଗୀକୁ ନେବା ପାଇଁ ଆସିଥିବା ଅନ୍ୟ ଏକ ଆମ୍ବୁଲାନ୍ସ ମଧ୍ୟ ଖରାପ ହୋଇ ଦୀର୍ଘ ଦୁଇ ଘଣ୍ଟା ଅଧା ରାସ୍ତାରେ ରୋଗୀ ଅଟକିଯିବା ଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି।

ଘଟଣା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଓଡି-୦୨-ବିଏନ୍‌-୫୩୫୯ ନମ୍ବର ବିଶିଷ୍ଟ ଏକ ଆମ୍ବୁଲାନ୍ସ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଡାକ୍ତରଖାନାରୁ ରାଜେନ ବିନ୍ଧାଣୀ ନାମକ ଜଣେ ରୋଗୀଙ୍କୁ ବାରିପଦାସ୍ଥିତ ପିଆରଏମ୍‌ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଯାଉଥିବା ବେଳେ ଚିତ୍ରଡ଼ା ଜଗନ୍ନାଥ ମନ୍ଦିର ନିକଟରେ ଉକ୍ତ ଗାଡ଼ିର ଟାୟାର ଫାଟି ଯିବାରୁ ଗାଡ଼ି ଅଟକି ରହିଥିଲା।
ତେବେ ଗାଡ଼ିରେ ଥିବା ଫାର୍ମାସିଷ୍ଟ ଶୁଭମ ମହାନ୍ତି ଏବଂ ଡ୍ରାଇଭର ହିରୋଦ କୁମାର ବାରିକ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାରୁ ଅନ୍ୟ ଏକ ଆମ୍ବୁଲାନ୍ସ (ଓଡି-୦୨-ବିଏଚ-୮୭୩୭) ଉକ୍ତ ରୋଗୀଙ୍କୁ ନେବା ପାଇଁ ଆସିଥିଲା କିନ୍ତୁ ଉକ୍ତ ଗାଡ଼ି ମଧ୍ୟ ଖରାପ ହୋଇଗଲା l ଉକ୍ତ ଗାଡିକୁ ମରାମତି ପାଇଁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିବା ପରେ ଗାଡ଼ି ଠିକ୍‌ ହୋଇ ରୋଗୀଙ୍କୁ ପିଆର୍‌ଏମ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ନେଇଥିଲା।

ତେବେ ଏନେଇ ଫାର୍ମାସିଷ୍ଟ ଶୁଭମ୍‌ ମହାନ୍ତି କୁହନ୍ତି, ଆମ୍ବୁଲାନ୍ସର ଚକ ଖରାପ ଥିବାର ସେ ମେଣ୍ଟେନାନ୍ସ ବିଭାଗକୁ ଜଣାଇଥିଲେ ଏବଂ ନୂଆ ଟାୟାର ଆସିବା ପର୍ଯ୍ୟନ୍ତ ଗାଡ଼ି ଏମିତି ଚାଲୁଥାଉ ବୋଲି ତାଙ୍କୁ କୁହାଯାଇଛି। ତେବେ ଏପରି ଅବ୍ୟବସ୍ଥା ପାଇଁ ସ୍ବାସ୍ଥ୍ୟ ବିଭାଗ ଯତ୍ନବାନ ହେବାକୁ ଦାବି ହୋଇଛି।

Share