ରୋଗୀଙ୍କୁ ଦେଢ଼ କି.ମି ପର୍ଯ୍ୟନ୍ତ ଷ୍ଟେଚରରେ ବୋହିନେଲେ ଆମ୍ବୁଲାନ୍ସ କର୍ମଚାରୀ

ବାଉଁଶୁଣୀ,୭ା୩: ଗାଡି ଯିବା ପାଇଁ ରାସ୍ତା ନ ଥିବାରୁ ଦେଢ଼ କି.ମି ବାଟ ରୋଗୀଙ୍କୁ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ। ବୌଦ୍ଧ ବ୍ଲକ ଆମ୍ବଝରି ଗ୍ରାମ ପଞ୍ଚାୟତ ବିଜାମାରି ଗ୍ରାମରେ ରବିବାର ଏଭଳି ଘଟଣା ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ବୌଦ୍ଧ ସହରରୁ ୧୪ କି.ମି ଦୂରରେ ବିଜାମାରି ଗ୍ରାମ ଅବସ୍ଥିତ। ଗ୍ରାମକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ଗାଁର ପ୍ରଭାକର କହଁର ପାରାଲିସିସ୍‌ ରୋଗରେ ପୀଡିତ ହୋଇଥିବା ବେଳେ ପରିବାର ଲୋକେ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସର ସହାୟତା ଲୋଡିଥିଲେ। ଖବରପାଇ ଆମ୍ବୁଲାନ୍ସ କର୍ମଚାରୀ ଯାଇଥିଲେ ହେଁ ରାସ୍ତା ନ ଥିବାରୁ ଗାଁଠାରୁ ପ୍ରାୟ ଦେଢ କି.ମି ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା। ଶେଷରେ ଆମ୍ବୁଲାନ୍ସ କର୍ମଚାରୀ ଫାର୍ମାସିଷ୍ଟ କୃଷ୍ଣଚନ୍ଦ୍ର ସାହୁ, ଡ୍ରାଇଭର ବଶିଷ୍ଠ ନାଏକ ଓ ଆଟେଣ୍ଡାଣ୍ଟ ବାଦଲ ବେହେରା ରୋଗୀଙ୍କୁ ତାଙ୍କ ଘରରୁ ଷ୍ଟେଚରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। କର୍ମଚାରୀମାନଙ୍କ ଏଭଳି ମାନବିକତାକୁ ସାଧାରଣରେ ପ୍ରଶଂସା କରାଯାଉଛି। ନିକଟରେ ଏହି ଗାଁର ଜଣେ ରୋଗୀଙ୍କୁ ବୋହିକି ହସ୍ପିଟାଲ ନେବାକୁ ପଡିଥିଲା। ଏହି ଅଞ୍ଚଳରେ ବାରମ୍ବାର ଏପରି ଘଟଣା ନଜରକୁ ଆସୁଥିଲେ ମଧ୍ୟ ଜିଲା ପ୍ରଶାସନର ଦୃଷ୍ଟି ପଡୁନାହିଁ। ପ୍ରତ୍ୟେକ ଗ୍ରାମକୁ ରାସ୍ତା ସୁବିଧା ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ ଗ୍ରାମବାସୀ ବର୍ଷ ବର୍ଷ ଧରି ରାସ୍ତା ନ ଥିବାରୁ ଅସୁବିଧା ଭୋଗୁଛନ୍ତି। ବୌଦ୍ଧ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Share