ପୁରୀ,୨।୮(ଅଜିତ ମହାନ୍ତି): ସ୍ବର୍ଗଦ୍ୱାରକୁ ଦାହ ସଂସ୍କାର ପାଇଁ ଆସୁଥିବା ବ୍ୟକ୍ତି ବିଶେଷମାନଙ୍କୁ ଶୋଷଣମୁକ୍ତ କରିବା ପାଇଁ ସ୍ବର୍ଗଦ୍ୱାର ସେବା ସମିତି ତରଫରୁ ବିଭିନ୍ନ ପ୍ରକାର ସେବାର ବ୍ୟବସ୍ଥା କରାଯାଇଛି। ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେକ୍ରମେ ହରିଶ୍ଚନ୍ଦ୍ର ଯୋଜନା ରାଶିକୁ ୩ହଜାରରୁ ୪ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହା ସୋମବାର ମଧ୍ୟ ରାତ୍ରରୁ ଲାଗୁ ହୋଇଛି। ଏହାସହିତ ସ୍ବର୍ଗଦ୍ୱାର ସେବା କେନ୍ଦ୍ରରୁ ସେବା ନେଇଥିବା ବ୍ୟକ୍ତିମାନଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ଏସ୍ଏମ୍ଏସ୍ ମାଧ୍ୟମରେ ବାର୍ତ୍ତା ପଠାଇବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଫଳରେ ଯଦି କେହି ତାଙ୍କ ରସିଦ ହଜାଇ ଦେଇଥାନ୍ତି, ତେବେ ରେଜିଷ୍ଟ୍ରେଶନ ନମ୍ବର ଦେଖାଇ ପୁଣି ସହଜରେ ଡୁପ୍ଲିକେଟ ରସିଦ ପାଇପାରିବେ। ସେହିପରି ପୂର୍ବରୁ ହରିଶ୍ଚନ୍ଦ୍ର ସହାୟତା ପାଉଥିବା ବ୍ୟକ୍ତି ବିଶେଷ ଦାହ କାର୍ଯ୍ୟ ପାଇଁ ଦେଢ଼ କୁଇଣ୍ଟାଲ କାଠ ପାଉଥିବା ବେଳେ ଏବେ ଏହାକୁ ବୃଦ୍ଧି କରି କୁଇଣ୍ଟାଲ ୮୦କେଜି କରାଯାଇଛି। ସେହିପରି ପଥ ଶ୍ରାଦ୍ଧ ସାମଗ୍ରୀ ମଧ୍ୟ ହରିଶ୍ଚନ୍ଦ୍ର ସହାୟତା ରାଶିରେ ଅନ୍ତର୍ଭୁକ୍ତ କରାଯାଇଛି। ସଂସ୍କାର ସାମଗ୍ରୀରେ ଘିଅ ପରିମାଣ ବୃଦ୍ଧି କରି ୨୦୦ରୁ ୩୦୦ଗ୍ରାମ କରାଯାଇଛି। ଶବ ସଂସ୍କାର କରିବାକୁ ଆସୁଥିବା ବ୍ୟକ୍ତି ବିଶେଷ କାଠ ବୋହି କି ନେବା ପାଇଁ ପୂର୍ବରୁ କେବଳ ଟ୍ରଳି ବ୍ୟବସ୍ଥା ଥିଲା,ଏହି ବ୍ୟବସ୍ଥାରେ ସୁଧାର ଆଣି କାଠ ବୋହିବା ପାଇଁ ୭ଜଣ ପରିବହନ ସେବକ ମୁତୟନ କରାଯାଇଛି। ଫଳରେ ମୃତ ବ୍ୟକ୍ତି ଦାହ ସଂସ୍କାର ସ୍ଥାନକୁ ଏହି ସେବକମାନେ ଟ୍ରଲି ସାହାଯ୍ୟରେ କାଠ ବୋହି କି ନେଇପାରିବେ। ସେହିପରି ଦାହ ସଂସ୍କାର କରୁଥିବା ସେବକମାନଙ୍କୁ ବୀମା ଅନ୍ତର୍ଭୁକ୍ତ କରିବା ସହିତ ସେମାନଙ୍କୁ ବିବାହ ଓ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି ବୋଲି ସ୍ବର୍ଗଦ୍ୱାର ସେବା ସମିତି ଆବାହକ ସମ୍ପାଦକ ତଥା ଉପଜିଲାପାଳ ଭବତାରଣ ସାହୁ ସୂଚନା ପ୍ରଦାନ କରିଛନ୍ତି। ଜିଲାପାଳ ସମର୍ଥ ବର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ବର୍ଗଦ୍ୱାର ସଂସ୍କାର କାର୍ଯ୍ୟ ଜାରି ରହିଥିବାବେଳେ ଏହାର ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସ୍ବର୍ଗଦ୍ୱାର ସେବା ସମିତି ତରଫରୁ ପ୍ରତ୍ୟେକ ଦିନ କିଛି ନା କିଛି ନୂତନ ବ୍ୟବସ୍ଥା ଲାଗୁ କରାଯାଉଛି। ଖୁବ୍ଶୀଘ୍ର ସ୍ବର୍ଗଦ୍ୱାର ସେବା ସମିତି ତରଫରୁ ଆପ୍ ଓ ୱେବ୍ସାଇଟ ଲଞ୍ଚ ପାଇଁ ମଧ୍ୟ ବ୍ୟବସ୍ଥା ହେଉଛି ବୋଲି ସେବା ସମିତି କାର୍ଯ୍ୟକାରୀ ସଦସ୍ୟ ସିଦ୍ଧାର୍ଥ ରାୟ କହିଛନ୍ତି।