ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ନିଷ୍ପତ୍ତି: ଆନ୍ଧ୍ରପ୍ରଦେଶ ବିଏଡ୍‌ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର,୧୭ା୯(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶରେ ବିଏଡ୍‌ ଶିକ୍ଷା କରୁଥିବା ଓଡ଼ିଶାର ୩୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପରୀକ୍ଷାକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି ସେଠାକାର ସରକାର। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ହସ୍ତକ୍ଷେପ ପରେ ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ବିଏଡ୍‌ ପରୀକ୍ଷାକୁ ନଭେମ୍ବର ମାସକୁ ଘୁଞ୍ଚାଇ ଦିଆଯାଇଛି। ମିଳିଥିବା ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶ ବିଏଡ୍‌ ପରୀକ୍ଷାକୁ ଫିଜିକାଲ ପରିବର୍ତ୍ତେ ଅନ୍‌ଲାଇନରେ କରିବା ପାଇଁ ଓଡ଼ିଶା ଏଜୁକେଶନ କନସଲ୍‌ଟାନ୍ସି ଫୋରମ(ଓଇସିଏଫ) ରାଜ୍ୟପାଳଙ୍କୁ ନିବେଦନ କରିଥିଲା। ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଛି ଏବଂ ଓଡ଼ିଶାରେ ବନ୍ୟା କାରଣରୁ ଛାତ୍ରୀଛାତ୍ର ଓ ଅଭିଭାବକ ଦୟନୀୟ ସ୍ଥିତିରେ ଅଛନ୍ତି। ଏହି ସମୟରେ ଓଡ଼ିଶାରୁ ଛାତ୍ରୀଛାତ୍ରମାନେ ଆନ୍ଧ୍ରପ୍ରଦେଶକୁ ପରୀକ୍ଷା ଦେବା ଲାଗି ଗଲେ ସେମାନଙ୍କ ଗମନାଗମନ, ରହଣି, ସ୍ବାସ୍ଥ୍ୟଯତ୍ନ ଓ ଉପଯୁକ୍ତ ସାନିଟାଇଜେଶନରେ ଗୁୁରୁତର ଅସୁବିଧା ଦେଖାଦେବାର ସମ୍ଭାବନା ରହିଛି। ଏପରିକି ସେମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏନେଇ ଫୋରମ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହାପରେ ରାଜ୍ୟପାଳ ହରିଚନ୍ଦନ ବୁଧବାର ଆନ୍ଧ୍ରପ୍ରଦେଶ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଅଧ୍ୟକ୍ଷ ଏବଂ ନାଗାର୍ଜୁନ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଡକାଇ ବିଚାର ବିମର୍ଶ କରିଥିଲେ। ଉକ୍ତ ଆଲୋଚନାରୁ ଜଣାପଡ଼ିଛି ଯେ, ଅକ୍ଟୋବରରେ ହେବାକୁ ଥିବା ବିଏଡ୍‌ର ଦ୍ୱିତୀୟ ଏବଂ ଚତୁର୍ଥ ସେମିଷ୍ଟର ପରୀକ୍ଷାକୁ ଫିଜିକାଲ୍‌ ନ କରାଇ ଅନ୍‌ଲାଇନ୍‌ରେ ପରୀକ୍ଷା କରାଇଲେ ପରୀକ୍ଷାରେ ସ୍ବଚ୍ଛତା ରହିବନି। ଏହାଛଡ଼ା ବନ୍ୟାବିପନ୍ନ ଅଞ୍ଚଳରେ ପରୀକ୍ଷାର୍ଥୀମାନେ ନେଟ୍‌ୱର୍କ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ତେଣୁ ଉକ୍ତ ପରୀକ୍ଷାକୁ ଆପାତତଃ ନଭେମ୍ବର ମାସକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଛି। ଏତଦ୍‌ବ୍ୟତୀତ ଏହି ପରୀକ୍ଷା ଓଡ଼ିଶାର ନିକଟବର୍ତ୍ତୀ ବିଶ୍ୱବିଦ୍ୟାଳୟରେ କରାଇବା ସହିତ ଛାତ୍ରୀଛାତ୍ରଙ୍କ ପରୀକ୍ଷାକୁ ଗଠନମୂଳକ କରିବା ପାଇଁ ସହଜ ବିକଳ୍ପ ଚୟନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।

Share