ଅକ୍ଟୋବର ୩୧ ଯାଏ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଭୁବନେଶ୍ୱର,୨।୧୦(ବ୍ୟୁରୋ): ୩୧ ଯାଏ ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବ। ତେବେ ଏହି ସମୟ ମଧ୍ୟରେ କର୍ମୀମାନେ ହିତାଧିକାରୀଙ୍କ ଘରକୁ ଯାଇ ଶୁଖିଲା ଖାଦ୍ୟ ବଣ୍ଟନ କରିବେ। ଅକ୍ଟୋବର ପହିଲାରୁ ଶୁଖିଲା ରାଶନ ସାମଗ୍ରୀ ବଣ୍ଟନ କରାଯାଉଛି। ୩ରୁ ୬ ବର୍ଷ ବୟସର ପ୍ରାକ୍‌ ବିଦ୍ୟାଳୟ ଶିଶୁମାନଙ୍କୁ ଅଙ୍ଗନଓ୍ବାଡି କେନ୍ଦ୍ରରେ ଦିଆଯାଉଥିବା ରନ୍ଧାଖାଦ୍ୟ ବଦଳରେ ଶୁଖିଲା ରାଶନ ସାମଗ୍ରୀ ବଣ୍ଟନ କରାଯାଇଛି। ଶୁଖିଲା ରାଶନରେ ଛତୁଆ, ବାଦାମ ଲଡୁ, ଚକି, ଅଣ୍ଡା ବଣ୍ଟନ କରାଯାଇଛି। ତେବେ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲା ପାଇଁ ହିତାଧିକାରୀମାନଙ୍କୁ ମାଣ୍ଡିଆ ଚୂନା ପ୍ୟାକେଟ୍‌ ବଣ୍ଟନ କରାଯାଇଛି। ପରିପୂରକ ପୁଷ୍ଟି ସାଧନ କାର୍ଯ୍ୟକ୍ରମରେ ଏହି ଯୋଜନା ଦ୍ୱାରା ରାଜ୍ୟର ୪୧ ଲକ୍ଷ ୨୬ ହଜାର ୫୦ ହିତାଧିକାରୀ ଉପକୃତ ହେଉଛନ୍ତି। ଯେଉଁମାନଙ୍କ ମଧ୍ୟରେ ୬ ମାସରୁ ୩ ବର୍ଷ ମଧ୍ୟରେ ୧୭ ଲକ୍ଷ ୯୩ ହଜାର ୮୯୬ ଶିଶୁ, ୩ରୁ ୬ ବର୍ଷର ୧୬ ଲକ୍ଷ ୧୩ ହଜାର ୭୭୫ ଶିଶୁ ଏବଂ ୭ ଲକ୍ଷ ୧୯ ହଜାର ୩୭୯ ଗର୍ଭବତୀ ଓ ପ୍ରସୂତି ମିହଳା ଉପକୃତ ହେଉଛନ୍ତି। ଏହାଛଡ଼ା ଲକ୍‌ଡାଉନ ସମୟରେ ଓଡ଼ିଶାକୁ ଫେରିଥିବା ପ୍ରବାସୀ ହିତାଧିକାରକୀଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇ ଯୋଗ୍ୟତା ଅନୁସାରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।

Share