୩୧ ପର୍ଯ୍ୟନ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଭୁବନେଶ୍ୱର, ୨।୧(ବ୍ୟୁରୋ) : କୋଭିଡ୍‌-୧୯ କଟକଣା ଯୋଗୁ ରାଜ୍ୟର ସମସ୍ତ ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌) ଅଧୀନରେ ଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏ ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ତରଫରୁ ଶୁକ୍ରବାର ନିର୍ଦ୍ଦେଶନାମା ଜାରି କରାଯାଇଛି। ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ଥିବା ପରିପ୍ରେକ୍ଷୀରେ ସମନ୍ବିତ ଶିଶୁ ବିକାଶ ଯୋଜନାରେ ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କ ଅତିରିକ୍ତ ପୁଷ୍ଟିସାଧନ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ଯୋଗାଇ ଦିଆଯାଉଥିବା ଟେକ୍‌ ହୋମ୍‌ ରାଶନ (ଟିଏଚ୍‌ଆର୍‌) ବଣ୍ଟନ ପ୍ରକ୍ରିୟା ନିୟମିତ ଭାବେ ଜାରି ରହିଛି। ମାସର ୧ ତାରିଖ ହୋଇଥିବାରୁ ଅଙ୍ଗନଓ୍ବାଡ଼ି କର୍ମୀମାନେ କୋଭିଡ୍‌ ନିୟମାବଳୀର ଅନୁପାଳନ ପୂର୍ବକ ହିତାଧିକାରୀଙ୍କ ଘରେ ପହଞ୍ଚତ୍ ଶୁଖିଲା ରାଶନ ବଣ୍ଟନ କରିଛନ୍ତି। ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ଥିବାରୁ ପ୍ରାକ୍‌ ବିଦ୍ୟାଳୟ ଶିଶୁଙ୍କୁ ମଧ୍ୟ ରନ୍ଧାଖାଦ୍ୟ ବଦଳରେ ଶୁଖିଲା ରାଶନ ବଣ୍ଟନ କରାଯାଇଛି। ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲାର ପ୍ରାକ୍‌ବିଦ୍ୟାଳୟ ଶିଶୁଙ୍କ ସକାଳ ଜଳଖିଆ ବାବଦକୁ ମାଣ୍ଡିଆ ଚୂନା ବଣ୍ଟନ କରାଯିବା ସହ ଘରେ ମାଣ୍ଡିଆ ଲଡ଼ୁ ପ୍ରସ୍ତୁତ କରି ଶିଶୁଙ୍କୁ ଖୁଆଇବା ନିମନ୍ତେ ମା’ମାନଙ୍କୁ ପରାମର୍ଶ ଦିଆଯାଇଛି। ଶୁଖିଲା ରାଶନ ବାବଦକୁ ଛତୁଆ, ବାଦାମ ଲଡ଼ୁ, ଚିକି, ଅଣ୍ଡା ଆଦି ବଣ୍ଟନ କରାଯାଇଛି। ଏହି ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ରାଜ୍ୟର ୪୫.୭୮ ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି।