ଘୋଷଯାତ୍ରାର ହେବ ସିଧାପ୍ରସାରଣ

ଭୁବନେଶ୍ବର, ୧୯ା୬(ସୁନିତ୍‌ ମିଶ୍ର): ପବିତ୍ର ଘୋଷଯାତ୍ରା ଅବସରରେ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ସହଯୋଗରେ ଘୋଷଯାତ୍ରାର ସିଧାପ୍ରସାରଣର ବ୍ୟବସ୍ଥା କରାଯାଇଛି। ଉନ୍ନତମାନର ଅତ୍ୟାଧୁନିକ ପ୍ରସାରଣ ଉପକରଣ ଦ୍ୱାରା ହାଇ-ରିଜଲ୍ୟୁସନ୍‌ ଚିତ୍ର ଉତ୍ତୋଳନ କରାଯାଇ ଅଗଣିତ ଦର୍ଶକଙ୍କ ନିମନ୍ତେ ନିରବଚ୍ଛିନ୍ନ ଭାବେ ଘୋଷଯାତ୍ରାର ସିଧାପ୍ରସାରଣ କରାଯିବ। ଏହାଦ୍ୱାରା ଦର୍ଶନାଭିଳାଷୀ ଭକ୍ତମାନେ ଘୋଷଯାତ୍ରାର ପ୍ରତିଟି ମୁହୂର୍ତ୍ତକୁ ସ୍ପଷ୍ଟ ଭାବେ ଦେଖିପାରିବା ସହିତ ଭାବକୁ ମଧ୍ୟ ଅନୁଭବ କରିପାରିବେ। ଏଥିରେ ଓଡ଼ିଶାର ଜଗନ୍ନାଥ ସଂସ୍କୃତି ବିଶାରଦ ତଥା ପ୍ରଖ୍ୟାତ ଭାଷ୍ୟକାରଙ୍କ ପ୍ରଗଳ୍‌ଭ ଏବଂ ତାତ୍ତ୍ବିକ ବିଶ୍ଲେଷଣାତ୍ମକ ବିବରଣୀ ଦର୍ଶକମାନଙ୍କ ନିକଟରେ ପରିବେଷଣ କରାଯିବ। ବିଶେଷ କରି ବାବା ସତ୍ୟାନନ୍ଦ ଦାସ, ଉଦ୍‌ଘୋଷକ ଡା. କୃଷ୍ଣକେଶବ ଷଡ଼ଙ୍ଗୀ, ମୃତ୍ୟୁଞ୍ଜୟ ରଥ, ପଦ୍ମନାଭ ତ୍ରିପାଠୀ, ପଣ୍ଡିତ ମାତୃପ୍ରସାଦ ମିଶ୍ର, କଲ୍ୟାଣୀ ନନ୍ଦୀ ଆଦି ବିଶିଷ୍ଟ ପ୍ରବଚକମାନେ ଘୋଷଯାତ୍ରାର ଧାରାବିବରଣୀ ପ୍ରଦାନ କରିବା ସହିତ ଦର୍ଶକଙ୍କୁ ଭକ୍ତି ରସାମୃତରେ ଆହ୍ଲାଦିତ କରିବେ। ଡିଡି ଓଡ଼ିଆରେ ସିଧା ପ୍ରସାରଣ ସକାଳ ୮ ଟାରୁ ଆରମ୍ଭ ହେବା ସହିତ ସକାଳ ୯ ଟାରୁ ହିନ୍ଦୀ, ଇଂଲିଶି ଓ ସଂସ୍କୃତ ଭାଷାରେ ଡିଡି ଭାରତୀରେ ପ୍ରସାରଣର ବ୍ୟବସ୍ଥା କରାଯାଇଛି। ଏହି ପ୍ରସାରଣ ଡିଡି ଓଡ଼ିଆ ଏବଂ ଡିଡି ନ୍ୟାସନାଲ୍‌ ୟୁଟ୍ୟୁବ୍‌ ଚାନେଲ୍‌ରେ ସକାଳ ୮ଟାରୁ ଲାଇଭ୍‌ ଷ୍ଟ୍ରିମିଙ୍ଗ୍‌ ମାଧ୍ୟମରେ ଉପଲବ୍ଧ ହେବ।

Share