୫୦ ଦିନରେ ଗୋଟାବାୟା ବିରୋଧୀ ଆନ୍ଦୋଳନ

କଲମ୍ବୋ,୨୯।୫(ପି.ଟି.): ଶ୍ରୀଲଙ୍କାରେ ଗମ୍ଭୀର ଆର୍ଥିକ ସଙ୍କଟକୁ ନେଇ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେଙ୍କ ଇସ୍ତଫା ଦାବିରେ ସରକାର ବିରୋଧୀ ଆନ୍ଦୋଳନ ଶନିବାର ୫୦ ଦିନରେ ପହଞ୍ଚତ୍ଛି। ଏପ୍ରିଲ ୯ରୁ ‘ଗୋ ଗୋଟା ଗାମା’ (ଗୋଟାବାୟା ଗାଁକୁ ଯାଅ) ଆନ୍ଦୋଳନ ଆରମ୍ଭ ହୋଇଥିଲା। ଆନ୍ଦୋଳନର ୫୦ତମ ଦିନକୁ ସ୍ମରଣୀୟ କରିବା ପାଇଁ ଆୟୋଜକମାନେ ଶନିବାର ବିକ୍ଷୋଭ ଶୋଭାଯାତ୍ରା ବଢ଼ାଇବା ସହ ବହୁସଂଖ୍ୟାରେ ଲୋକଙ୍କୁ ଏଥିରେ ସାମିଲ କରାଇଥିଲେ। ଶ୍ରୀଲଙ୍କାରେ ଦେବାଳିଆ ସ୍ଥିତି ଦେଖାଦେଇଥିବାବେଳେ ଖାଦ୍ୟସାମଗ୍ରୀଠାରୁ ଆରମ୍ଭ କରି ଔଷଧ, ଇନ୍ଧନ, ରନ୍ଧନ ଗ୍ୟାସ୍‌, ଟଏଲେଟ ପେପେର, ଦିଆସିଲି ଆଦି ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି। ଏହିସବୁ ସାମଗ୍ରୀ କିଣିବା ପାଇଁ କିଛି ମାସ ହେଲା ଲୋକଙ୍କୁ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି। ଦେଶରେ ଅର୍ଥନୈତିକ ସଙ୍କଟ ଯୋଗୁ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫା ଦାବିରେ ବିକ୍ଷୋଭକାରୀମାନେ ୪୯ ଦିନ ହେଲା ରାଷ୍ଟ୍ରପତି ଭବନ ପ୍ରବେଶ ପଥକୁ ଅକ୍ତିଆର କରି ରଖିଛନ୍ତି। ବିକ୍ଷୋଭ ସ୍ଥଳରେ ଦିନକୁ ଦିନ ଆନ୍ଦୋଳନକାରୀଙ୍କ ସଂଖ୍ୟା ବଢ଼ିଚାଲିଥିବାବେଳେ ସ୍ବେଚ୍ଛାସେବୀ ସଂଗଠନ ସେମାନଙ୍କୁ ଖାଦ୍ୟ ପାନୀୟ ଯୋଗାଇ ଦେଉଛନ୍ତି। ଆନ୍ଦୋଳନ ତୀବ୍ରତର ହେବାରୁ ଗତ ୯ ତାରିଖରେ ପ୍ରଧାନମନ୍ତ୍ରୀ ପଦରୁ ଗୋଟାବାୟାଙ୍କ ବଡ଼ଭାଇ ମହିନ୍ଦା ରାଜପାକ୍‌ସେ ଇସ୍ତଫା ଦେଇଥିଲେ। ଗୋଟାବାୟାଙ୍କ ଇସ୍ତଫା ଲାଗି ଜୋର୍‌ଦାର ଦାବି ସତ୍ତ୍ୱେ ସେ ପଦ ଛାଡ଼ିବାକୁ ଚାହୁଁନାହାନ୍ତି।

Share