ପ୍ରଫେସର ଉଦୟନାଥ ସାହୁ
ଗତ ସେପ୍ଟେମ୍ବର ୨ ତାରିଖରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ନିମିତ୍ତ ଭାରତ ସରକାରଙ୍କୁ ଅନୁରୋଧ କରାଯିବାକୁ ଏକ ପ୍ରସ୍ତାବ କ୍ୟାବିନେଟ୍ ଅନୁମୋଦନ ଲାଭ କରିଛି। ଏହି ପାରମ୍ପରିକ ସଙ୍ଗୀତ ଶୈଳୀ ବହୁ ପୁରାତନ ଓ ଶାସ୍ତ୍ରାନୁମୋଦିତ। ୧୯୬୩ ମସିହାରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତାପ୍ରାପ୍ତ ହୋଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିନାହିଁ। ଏ ଦିଗରେ ଉଦ୍ୟମ ଜାରି ରହିଛି। ଭାରତ ସରକାରଙ୍କ ଦ୍ୱାରା ହିନ୍ଦୁସ୍ତାନୀ ସଙ୍ଗୀତ ଏବଂ କର୍ନାଟକୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି। ଓଡ଼ିଶା ସରକାର ୨୦୦୮ରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ଦେଇଛନ୍ତି।
ଖ୍ରୀ.ପୂ. ଦ୍ୱିତୀୟ ଶତକରେ ମହାମେଘବାହନ ଖାରବେଳ ସଙ୍ଗୀତର ପୃଷ୍ଠପୋଷକତା କରିଥିବାର ହାତୀଗୁମ୍ଫା ଶିଳାଲେଖରୁ ଜଣାଯାଏ। ଏଥିରୁ ଅନୁମେୟ ଯେ ଖ୍ରୀଷ୍ଟାବ୍ଦ ପୂର୍ବରୁ ଉତ୍କଳରେ ସଙ୍ଗୀତ ଚର୍ଚ୍ଚା କରାଯାଉଥିଲା। ଭରତମୁନିଙ୍କ ‘ନାଟ୍ୟଶାସ୍ତ୍ର’ ଅନୁସାରେ, ସଙ୍ଗୀତ ଚାରିଗୋଟି ଶ୍ରେଣୀରେ ବିଭକ୍ତ ହୋଇଥିଲା। ସେଗୁଡ଼ିକ ଯଥା- ଅବନ୍ତୀ, ଦାକ୍ଷିଣାତ୍ୟ, ପାଞ୍ଚାଳୀ ଓ ଉଡ୍ରମାଗଧୀ। ତେଣୁ ‘ନାଟ୍ୟଶାସ୍ତ୍ର’ର ପ୍ରାଚୀନତାକୁ ଲକ୍ଷ୍ୟ କରି ଉତ୍କଳୀୟ ସଙ୍ଗୀତ ପରମ୍ପରାର ପ୍ରାଚୀନତା ବିଚାର କରାଯାଇପାରେ। ଅର୍ଥାତ୍ ଅଙ୍ଗ, ବଙ୍ଗ ଓ ଉଡ୍ର (ପ୍ରାଚୀନ ଓଡ଼ିଶା)ରେ ନୃତ୍ୟ ସଙ୍ଗୀତର ପ୍ରସାର ଘଟିଥିଲା।
ଖ୍ରୀଷ୍ଟୀୟ ଷଷ୍ଠରୁ ଏକାଦଶ ଶତାବ୍ଦୀ ମଧ୍ୟରେ ସ୍ଥାପିତ ଓଡ଼ିଶାର ମନ୍ଦିର ସ୍ଥାପତ୍ୟ ଓ ଶିଳା ଦେହରୁ ନୃତ୍ୟଗୀତର ପରମ୍ପରା ପ୍ରତିପାଦନ କରାଯାଇପାରେ। ଭୁବନେଶ୍ୱର ଲକ୍ଷ୍ମଣେଶ୍ୱର, ଭରତେଶ୍ୱର, ଶତ୍ରୁଘ୍ନେଶ୍ୱର ମନ୍ଦିର ଗାତ୍ରରେ ନୃତ୍ୟରତା ରମଣୀର ଛବି ଫୁଟିଉଠେ। ଲିଙ୍ଗରାଜ ମନ୍ଦିର ଭିତରେ ଅପସରାମାନେ ନୃତ୍ୟ କରୁଥିବାର ଚିତ୍ର ପରିଦୃଷ୍ଟ ହୁଏ। କୋଣାର୍କ ମନ୍ଦିର ଦେହରେ ନୃତ୍ୟରତା ରମଣୀ ଓ ବାଦ୍ୟ-ବାଜଣାର ଛବି ନିହିତ। ମୁକ୍ତେଶ୍ୱର ମନ୍ଦିର ଓ ରାଜାରାଣୀ ମନ୍ଦିର ଗାତ୍ରରେ ଖୋଦିତ ଓଡ଼ିଶୀ ନୃତ୍ୟ ଭଙ୍ଗୀର ଲାସ୍ୟ ମୂର୍ତ୍ତିଗୁଡ଼ିକରେ ଓଡ଼ିଶାର ସ୍ବତନ୍ତ୍ର ସଙ୍ଗୀତ ପଦ୍ଧତି ବିଦ୍ୟମାନ ଥିବାର ନିର୍ଦ୍ଦିଷ୍ଟ ପ୍ରମାଣ ମିଳେ। ଜଗନ୍ନାଥ ସେବାରେ ମଧ୍ୟ ଓଡ଼ିଶୀ ସଙ୍ଗୀତ ପରମ୍ପରା ପରିପୁଷ୍ଟି ଲାଭ କରିଛି। କାରଣ ଗୀତରୁ ବାଦ୍ୟ ଓ ଗୀତ ଏବଂ ବାଦ୍ୟରୁ ନୃତ୍ୟ ହୁଏ। ‘ଗୀତଂ ବାଦ୍ୟଂ ତଥା ନୃତ୍ୟଂ ତ୍ରୟଂ ସଙ୍ଗୀତ ମୁଚ୍ୟତେ’- ଗୀତ, ବାଦ୍ୟ ଓ ନୃତ୍ୟକୁ ସଙ୍ଗୀତ କୁହାଯାଏ। ଏଥିରୁ ପ୍ରାଚୀନ ଓଡ଼ିଶାରେ ଯେଉଁ ସମୃଦ୍ଧ ସଙ୍ଗୀତର ଧାରା ପ୍ରବାହିତ ହେଉଥିଲା ତାହା ଜଣାଯାଏ।
‘ସଙ୍ଗୀତ ରତ୍ନାକର’ ସଙ୍ଗୀତ ଶାସ୍ତ୍ର ଆଲୋଚନାର ଏକ ବିରାଟ ଗ୍ରନ୍ଥ। ତାହାର ରଚୟିତା ନିଃଶଙ୍କ ଶାଂର୍ଗଦେବ ବିଜ୍ଞାନର ମହାପଣ୍ଡିତ, ନରସିଂହଦେବଙ୍କ ରାଜସଭାରେ ଥିଲେ ବୋଲି ପଣ୍ଡିତ ନୀଳକଣ୍ଠ ଦାଶ ମତ ଦିଅନ୍ତି। ଅନ୍ୟ ଯେଉଁ ସଙ୍ଗୀତ ଶାସ୍ତ୍ରଗୁଡ଼ିକ ପଞ୍ଚଦଶ ଶତାବ୍ଦୀବେଳକୁ ଭାରତରେ ପ୍ରଚଳିତ ଥିଲା। ସେଗୁଡ଼ିକ ଯଥା- ଦାମୋଦରଙ୍କ ‘ସଙ୍ଗୀତ ଦର୍ପଣ’(୧୫ଶ ଶତାବ୍ଦୀ), ଶୁଭଙ୍କରଙ୍କ ‘ସଙ୍ଗୀତ ଦର୍ପଣ’(୧୫ଶ ଶତାବ୍ଦୀ) ଏବଂ ନନ୍ଦିକେଶ୍ୱରଙ୍କ ‘ଅଭିନୟ ଦର୍ପଣ’ ପ୍ରଭୃତି। ତେବେ ‘ନାଟ୍ୟଶାସ୍ତ୍ର’ର ପରବର୍ତ୍ତୀ କେତେକ ପ୍ରାମାଣିତ ସଙ୍ଗୀତ ଗ୍ରନ୍ଥମାନଙ୍କ ମଧ୍ୟରେ ‘ସଙ୍ଗୀତ ରତ୍ନାକର’କୁ ପ୍ରାଧାନ୍ୟ ଦିଆଯାଏ। ଏତଦ୍ବ୍ୟତୀତ ପରବର୍ତ୍ତୀ ସମୟରେ କୃଷ୍ଣ ଦାସ ବଡ଼ଜେନାଙ୍କ ‘ଗୀତ ପ୍ରକାଶ’, ରାଜା ହରିଚନ୍ଦନଙ୍କ ‘ସଙ୍ଗୀତ ମୁକ୍ତାବଳୀ’, ହରିନାୟକଙ୍କ ‘ସଙ୍ଗୀତ ସାର’, ହଳଧର ମିଶ୍ରଙ୍କ ‘ସଙ୍ଗୀତ କଳ୍ପଲତିକା’, ଗଦାଧର ଦାସଙ୍କ ‘ଗୀତ ପ୍ରକାଶ ବୋଲି’, ଗତପତି ନାରାୟଣ ଦେବଙ୍କ ‘ସଙ୍ଗୀତ ନାରାୟଣ’, ଯଦୁନାଥ ସିଂହଙ୍କ ‘ଅଭିନୟ ଦର୍ପଣ ପ୍ରକାଶ’ ପ୍ରଭୃତି ବହୁ ସଙ୍ଗୀତ ଗ୍ରନ୍ଥ ରଚିତ ହୋଇଛି।
ରାଗ ଓ ରାଗିଣୀ ଶବ୍ଦର ବହୁଳ ପ୍ରଚଳନ ସଙ୍ଗୀତ ଶାସ୍ତ୍ରରେ ଦେଖାଯାଏ। ରାଗ ହେଉଛି ମନୋରଞ୍ଜନକାରୀ ସ୍ବର ବିଶେଷ। ସଂସ୍କୃତରେ ବୃତ୍ତ ଶବ୍ଦ ଯେଉଁ ବ୍ୟାପକ ଅର୍ଥରେ ବ୍ୟବହୃତ, ସେହି ଅର୍ଥରେ ରାଗ ଶବ୍ଦ ପ୍ରୟୋଗ କରାଯାଇଛି। ସଂସ୍କୃତ ସଙ୍ଗୀତ ଶାସ୍ତ୍ର ଦ୍ୱାରା ଓଡ଼ିଆ କବିମାନେ ବିଶେଷ ଭାବେ ପ୍ରଭାବିତ। ସେଥିରୁ ସେମାନେ ରାଗ ରାଗିଣୀର ନାମ ଗ୍ରହଣ କରି ଓଡ଼ିଆ ଛନ୍ଦଗୁଡ଼ିକର ନାମକରଣ କରିଥାନ୍ତି। ସଂସ୍କୃତ ସାହିତ୍ୟର ବୃତ୍ତ ବା ଛନ୍ଦ ଓ ଓଡ଼ିଆ ସାହିତ୍ୟର ରାଗ ଏକାର୍ଥ ବାଚକ। ପ୍ରାଚୀନ ସଙ୍ଗୀତ ଶାସ୍ତ୍ର ଯଦିଓ ସମସ୍ତ ରାଗ ରାଗିଣୀର ମୂଳ ତଥାପି ବିଭିନ୍ନ ଯୁଗରେ ଅନେକ ନୂତନ ରାଗର ଉପତ୍ତ୍ତି ହୋଇଅଛି। ମୁସଲମାନ ବାଦଶାହମାନଙ୍କ ଦରବାରରେ ହିନ୍ଦୁ-ସଙ୍ଗୀତ ଅନୁଶୀଳନ ହୋଇଥିବାରୁ ଆହୁରି କେତେଗୁଡ଼ିଏ ରାଗରାଗିଣୀର ସୃଷ୍ଟି ହୋଇଅଛି। ଦେଶର ନାମ ଅନୁସାରେ ମଧ୍ୟ ରାଗରାଗିଣୀର ସୃଷ୍ଟି ହୋଇଛି। ସେଗୁଡ଼ିକ ହେଉଛି- ବଙ୍ଗାଳୀ, ଗାନ୍ଧାରୀ, ଗୁଜ୍ଜରୀ, ସୈନ୍ଧବୀ, ଔଡୀ, କଳିଙ୍ଗୀ, କାବେରୀ, ମାଳବ, ଗୋଡ଼ୀ, କାମୋଦୀ, ପାଞ୍ଚାଳୀ ଇତ୍ୟାଦି।
ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ମେଷ ଛନ୍ଦ ବିଚାରରେ ବୌଦ୍ଧଗାନ ଓ ଦୋହାର ଗୁରୁତ୍ୱ ଯଥେଷ୍ଟ। ସେଥିରେ ସନ୍ନିବେଶିତ ଗୀତଗୁଡ଼ିକ ଓଡ଼ିଆ ଭାଷାର ସଂପୂର୍ଣ୍ଣ ନିଦର୍ଶନ ନ ହେଲେ ମଧ୍ୟ କାହ୍ନୁପା, ଲୁଇପା, ଶବରୀପା, ବୀଣାପା ପ୍ରଭୃତିଙ୍କର ରଚନା ସେ ସମୟର ଓଡ଼ିଶାରେ ପ୍ରଚଳିତ ଭାଷାର ନିଦର୍ଶନ ବୋଲି ସ୍ପଷ୍ଟ ଜଣାଯାଉଛି। ସେଥିରେ ଗବଡ଼ା (ଗଉଡ଼ା), ଅରୁ, ଗୁଜ୍ଜରୀ, ପଟ୍ଟମଞ୍ଚରୀ, ଦେବକ୍ରୀ, ଦେଶାଖ, ଭୈରବୀ, କାମୋଦ, ଧନସୀ, ବରାଡ଼ୀ, ମଲ୍ଲାରୀ, ମାଳଶ୍ରୀ, କହ୍ନୁ ଗୁଜ୍ଜରୀ, ବଙ୍ଗଳା ରାଗର ଉଲ୍ଲେଖ କରାଯାଇଛି। ଏହି ରାଗଗୁଡ଼ିକ ସାରଳା ଦାସଙ୍କ ଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟରେ ପ୍ରଚଳିତ ହୋଇଆସୁଛି।
ଦ୍ୱାଦଶ ଶତାବ୍ଦୀରେ ରଚିତ ଜୟଦେବଙ୍କ ‘ଗୀତଗୋବିନ୍ଦ’ କାବ୍ୟରେ ଓଡ଼ିଶାରେ ସଙ୍ଗୀତ ଚର୍ଚ୍ଚାର ଗଭୀରତା ଓ ଶାସ୍ତ୍ରଜ୍ଞାନର ବ୍ୟାପକତା ପ୍ରତିଫଳିତ। ଏଥିରେ ସର୍ବମୋଟ ୨୪ଗୋଟି ସଙ୍ଗୀତ ଅଛି ଏବଂ ବାରଗୋଟି ବିଭିନ୍ନ ରାଗର ପ୍ରୟୋଗ ହୋଇଛି।
ସାରଳା ମହାଭାରତରେ ବିଭିନ୍ନ ରାଗର ଉଲ୍ଲେଖ କରାଯାଇଛି । ସେଗୁଡ଼ିକ ହେଉଛି- ଆଭିରୀ, କର୍ନାଟୀ, କଲ୍ୟାଣୀ, କାଶୀ-କନଡ଼ା, କୌଶିକ, କେଦାର, ଗୁଜ୍ଜରୀ, ଗୁଜ୍ଜରୀମହ୍ଲାର, ଗୌରୀ, ମଣ୍ଡକେରୀ, ଚିନ୍ତାଦେଶାକ୍ଷ, ଚୋଖି, ତୋଡ଼ି, ନଟନାରାୟଣୀ, ନାଗବଲ୍ଲୀ, ପଞ୍ଚମବରାଡ଼ି, ଭୈରବୀ, ଭୂପାଳ,ମାଳବ, ମାଳଶ୍ରୀ, ମଙ୍ଗଳବରାଡ଼ି, ମହ୍ଲାର, ମଧୁକେରୀ, ଯାମଳାତୋଡ଼ି, ଲଳିତବସ‘ ଓ ହିନ୍ଦୋଳ।
ସାରଳ ଦାସଙ୍କ ମତରେ ସଙ୍ଗୀତ ବିଦ୍ୟା ଏକ ବେଦ ବିଶେଷ। କବି ଯେଉଁ ପାଞ୍ଚୋଟି ବେଦର ସୂଚନା ପ୍ରଦାନ କରିଛନ୍ତି, ସେଗୁଡ଼ିକ ହେଲା- ଆୟୁର୍ବେଦ, ଜ୍ୟୋତିର୍ବେଦ, ଧନୁର୍ବେଦ, ଶିଶୁବେଦ ଓ ଗାନ୍ଧର୍ବବେଦ। ଏହା ହିଁ ସଂସ୍କୃତରେ ପାଞ୍ଚ ଉପବେଦ ଭାବେ ପ୍ରସିଦ୍ଧ।
ସାରଳା ଦାସ ତାଙ୍କ ମହାଭାରତର ବହୁ ସ୍ଥଳରେ ‘ଭରହ’ ଶବ୍ଦ ବ୍ୟବହାର କରିଛନ୍ତି।
ଏହି ‘ଭରହ’ ଶବ୍ଦ ସଙ୍ଗୀତ ବିଦ୍ୟାର ଅର୍ଥ ବହନ କରିଥାଏ। ‘ଭରହ’ର ଅର୍ଥ ହେଉଛି ସଙ୍ଗୀତ ରସ। ଡକ୍ଟର ବଂଶୀଧର ମହାନ୍ତିଙ୍କ ମତରେ ‘ଭରହ’ ଶବ୍ଦଟି ଆଲୋଚନା କଲେ ଜଣା ପଡ଼େ ଯେ ଏହି ଶବ୍ଦଟି ଭରତ ଶବ୍ଦରୁ ଆସିଅଛି। ଭରତ ଏଠାରେ ସୂଚିତ କରେ ଭରତଙ୍କ ‘ନାଟ୍ୟଶାସ୍ତ୍ର’। ଭରତ ଶବ୍ଦର ପ୍ରାକୃତ ରୂପ ହେଉଛି, ଭରହ ଯାହାର ଅର୍ଥ ପରିବର୍ତ୍ତନ ହୋଇ ନୃତ୍ୟ ଭଙ୍ଗୀ ଅର୍ଥରେ ବ୍ୟବହୃତ ହୋଇଛି। ସାରଳା ଦାସ ଭରତଙ୍କ ‘ନାଟ୍ୟଶାସ୍ତ୍ର’ ସମ୍ପର୍କରେ ଅବଗତ ଥିଲେ। ତେଣୁ ସେ ଭରହ ହରଷ ବୋଲି ଲେଖିଅଛନ୍ତି।
କବି ସଙ୍ଗୀତ ଗାନର ସପ୍ତସ୍ବର ସହିତ ପରିଚିତ ଥିଲେ। ସପତସ୍ବର (ସା,ରି, ଗ,ମ,ପ,ଧ,ନି,ସା)ରୁ ଜଣାଯାଏ ଯେ, କବି ସଙ୍ଗୀତ ଶାସ୍ତ୍ରର ସ୍ବର ନିୟମ ସହ ମଧ୍ୟ ପରିଚିତ ଥିଲେ। ତାଙ୍କ ଗ୍ରନ୍ଥଗୁଡ଼ିକୁ ଏକ ଅନାଡ଼ମ୍ବର ଦାଣ୍ଡି ବୃତ୍ତରେ ଲେଖିଥିଲେ ହେଁ ତାଙ୍କର ଯେ ବିଭିନ୍ନ ସଙ୍ଗୀତ ଓ ଛନ୍ଦ ଶାସ୍ତ୍ରରେ ଅଭିଜ୍ଞତା ଥିଲା ତାହା ବିଭିନ୍ନ ଦୃଷ୍ଟାନ୍ତରୁ ଜଣାଯାଏ।
ତେବେ ଚର୍ଯ୍ୟାଗୀତିକା, ଗୀତଗୋବିନ୍ଦ, ସାରଳା ମହାଭାରତ ପରେ ରୀତି ଯୁଗରେ ଏହି ସଙ୍ଗୀତ ପ୍ରୟୋଗର ବହୁ ପରୀକ୍ଷା ନିରୀକ୍ଷା ହୋଇଅଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କୁ ମଧ୍ୟ ସଙ୍ଗୀତ ସମ୍ରାଟ ବୋଲି କୁହାଯାଏ। କାରଣ ଉପେନ୍ଦ୍ର ଭଞ୍ଜ ଓଡ଼ିଶାର ସଙ୍ଗୀତ ପରମ୍ପରାକୁ ସୁସମୃଦ୍ଧ କରିବା ସହିତ ଓଡ଼ିଶୀ ସଙ୍ଗୀତରେ ରସ, ମାଧୁର୍ଯ୍ୟ ଓ ଭାବଗାମ୍ଭୀର୍ଯ୍ୟର ମଧୁର ସମନ୍ବୟ କରିଥିଲେ। ତାହାର ସାଙ୍ଗତିକ ସାବଳୀଳତା ସର୍ବତ୍ର ପରିଦୃଷ୍ଟ। ତାଙ୍କ କାବ୍ୟଗୁଡ଼ିକରେ ବୃତ୍ତ, ଛାନ୍ଦ, ରାଗ-ରାଗିଣୀ, ସଙ୍ଗୀତ, କଳାକୁଶଳତା ପ୍ରଭୃତି ଦେଖିବାକୁ ମିଳିଥାଏ। ଶବ୍ଦ ଯୋଜନାର ଚମତ୍କାରିତା, ପଦାବଳୀର ମନୋହାରିତା, ଭାବ ବ୍ୟନର ଆକର୍ଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ସେହିପରି ଅଭିମନ୍ୟୁ ସାମନ୍ତସିଂହାର, କବିସୂର୍ଯ୍ୟ ବଳଦେବ ରଥ, ଗୋପାଳକୃଷ୍ଣ, କବି ବନମାଳୀ ଦାସ ପ୍ରମୁଖଙ୍କର ସଙ୍ଗୀତ ଶାସ୍ତ୍ର ସମ୍ମତ ଛାନ୍ଦ, ବୃତ୍ତ, ସ୍ବର, ତାଳ, ଲୟ, ଯତିପାତ ଇତ୍ୟାଦି ସମୃଦ୍ଧ ରଚନାଗୁଡ଼ିକ ଗାନପ୍ରଧାନ ହୋଇଅଛି। ଏହାଥିଲା ସାହିତ୍ୟ ଓ ସଙ୍ଗୀତ ମିଶ୍ରଣର ଯୁଗ। ଚମ୍ପୂରେ ରହିଛି ଶାସ୍ତ୍ରୀୟ ରୀତି। ସଙ୍ଗୀତ ଧର୍ମିତା ଓ ଭାଷା ଲାଲିତ୍ୟ ଏହାର ଅନ୍ୟତମ ଆକର୍ଷଣୀୟ ଦିଗ।
ବର୍ତ୍ତମାନ ବିଶୁଦ୍ଧ ରାଗ ସଙ୍ଗୀତକୁ ‘ଶାସ୍ତ୍ରୀୟ ସଙ୍ଗୀତ’ ବୋଲି କୁହାଯାଉଛି। ଓଡ଼ିଶାରେ ବହୁବିଧ ଶାସ୍ତ୍ରୀୟ ସଙ୍ଗୀତ ପ୍ରଚଳିତ ଥିଲେ ମଧ୍ୟ ନିଜସ୍ବ ଶୈଳୀ ଦୃଷ୍ଟିରୁ ‘ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ’ ଅଧିକ ଲୋକପ୍ରିୟ। ଶାସ୍ତ୍ରଗତ ନିୟମ ଅନୁସାରେ ଯେଉଁ ସଙ୍ଗୀତ ପରିବେଷିତ ହୁଏ, ତାହା ଶାସ୍ତ୍ରୀୟ ସଙ୍ଗୀତ। ଏକ ନିର୍ଦ୍ଦିଷ୍ଟ ଅନୁଶାସନ ବା ଶୃଙ୍ଖଳା ମଧ୍ୟରେ, ନିର୍ଦ୍ଦିଷ୍ଟ ବିଧିବିଧାନ ସହିତ ଉତ୍କୃଷ୍ଟ ସାଙ୍ଗତିକ କଳା କୌଶଳରେ ଏହା ପରିବେଷିତ ହୋଇଥାଏ। ଆମ ଓଡ଼ିଶୀ ସଙ୍ଗୀତ, ଏ ସମସ୍ତ ନୀତି, ନିୟମ, କ୍ରିୟା, ପ୍ରକ୍ରିୟା ସାହାଯ୍ୟରେ ପରିବେଷିତ ହେଉଥିବାରୁ ଏହା ଶାସ୍ତ୍ରୀୟ ସଙ୍ଗୀତ ଅଟେ। ଏହାକୁ ଭାରତ ସରକାରଙ୍କ ଦ୍ୱାରା ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଗଲେ ଏହାର ମାନ ଉଚ୍ଚ ହେବା ସହିତ ଭାରତ ବର୍ଷରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିବ।
ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀ, ମୋ: ୯୮୨୧୧୯୬୪୬୬