Categories: ଜାତୀୟ

ସୀମା ସ୍ଥିତି ଅନୁଧ୍ୟାନ କଲେ ସେନାମୁଖ୍ୟ

ନୂଆଦିଲ୍ଲୀ,୪ା୯(ପି.ଟି.) :ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍‌.ଏମ୍‌. ନରଓ୍ବଣେ ଗୁରୁବାର ଲଦାଖକୁ ଦୁଇଦିନିଆ ଗସ୍ତରେ ଯାଇ ଉକ୍ତ ଅଞ୍ଚଳର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି। ନିକଟରେ ଚାଇନା ସେନା ପୋଙ୍ଗୟାଙ୍ଗ ହ୍ରଦର ଦକ୍ଷିଣ ପାର୍ଶ୍ୱରେ ସ୍ଥିତାବସ୍ଥା ବଦଳାଇବା ପାଇଁ ଉଦ୍ୟମ କରିଥିଲା, ଯାହାକୁ ଭାରତୀୟ ଯବାନମାନେ ପଣ୍ଡ କରିଦେଇଥିଲେ। ଏହା ପରେ ସେନାମୁଖ୍ୟଙ୍କର ଉକ୍ତ ଅଞ୍ଚଳକୁ ପ୍ରଥମ ଗସ୍ତ। ଜେନେରାଲ ନରଓ୍ବଣେ ସେଠାରେ ଶୀର୍ଷ ସେନା କମାଣ୍ଡରମାନଙ୍କଠାରୁ ସ୍ଥିତି ସମ୍ପର୍କରେ ବୁଝିବା ସହ ଉକ୍ତ ଅଞ୍ଚଳରେ ସେନା ମୁତୟନ ଓ ଯୁଦ୍ଧ ପ୍ରସ୍ତୁତି ନେଇ ସମୀକ୍ଷା କରିବେ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି।
ସୀମାରେ ଚାଇନା ସୈନ୍ୟଙ୍କ ଗତିବିଧି ବଢ଼ୁଥିବା ସୋମବାର ଭାରତୀୟ ସେନା ପକ୍ଷରୁ କୁହାଯାଇଥିଲା। ସେମାନେ ଅଗଷ୍ଟ ୨୯-୩୦ ରାତିରେ ପୋଙ୍ଗୟାଙ୍ଗ ହ୍ରଦର ଦକ୍ଷିଣ ପାର୍ଶ୍ୱରେ ଏକପାଖିଆ ଭାବେ ସ୍ଥିତାବସ୍ଥା ବଦଳାଇବା ପାଇଁ ଉଦ୍ୟମ କରିଥିଲେ। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଉତ୍ତେଜନାପୂର୍ଣ୍ଣ କାର୍ଯ୍ୟରେ ଲିପ୍ତ ଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ମଙ୍ଗଳବାର କହିଥିଲେ।
ଚାଇନା ସହ ସୀମାରେ ଉତ୍ତେଜନା ବଢ଼ିଚାଲିଥିବାବେଳେ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଆର୍‌.କେ.ଏସ୍‌. ଭଦୌରିଆ ଅରୁଣାଚଳପ୍ରଦେଶ ଓ ସିକିମ୍‌ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖାରେ ବାୟୁସେନାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ବୁଧବାର ଭଦୌରିଆ ପୂର୍ବାଞ୍ଚଳ ଏୟାର କମାଣ୍ଡ ଅନ୍ତର୍ଗତ ଫ୍ରଣ୍ଟଲାଇନ ଏୟାରବେସ୍‌ ପରିଦର୍ଶନ କରିଥିଲେ। ଏହି ଏୟାର କମାଣ୍ଡର ମୁଖ୍ୟାଳୟ ଶିଲଂରେ ରହିଛି। ଏହା ସିକିମ୍‌, ଅରୁଣାଚଳପ୍ରଦେଶ ଅନ୍ତର୍ଗତ ଏଲ୍‌ଏସିର ସମ୍ବେଦନଶୀଳ ଅଞ୍ଚଳ ସମେତ ଅନ୍ୟାନ୍ୟ ଅଞ୍ଚଳର ଆକାଶମାର୍ଗର ସୁରକ୍ଷା କରିଥାଏ। ନିକଟରେ ଚାଇନାର ଅନୁପ୍ରବେଶ ଉଦ୍ୟମ ପରେ ୩୪୦୦ କିଲୋମିଟର ବ୍ୟାପୀ ଏଲ୍‌ଏସିର ସମସ୍ତ ମୁଖ୍ୟ ବେସ୍‌କୁ ଅଧିକ ସତର୍କ କରିଦିଆଯାଇଛି।

Share