ସେନା ନେଲାଣି ୭୦ ଜୀବନ

ନାପିତାଓ, ୧୨ା୩: ଗଣତନ୍ତ୍ର ସପକ୍ଷବାଦୀ ଅଙ୍ଗ୍‌ ସାନ ସ୍ୟୁ ଚୀଙ୍କ ସରକାରକୁ ହଟାଇ ଶାସନ ମାଡ଼ିବସିଥିବା ସେନା ବିରୋଧରେ ମ୍ୟାନମାରରେ ଆନ୍ଦୋଳନ ଜାରି ରହିଥିବାବେଳେ ବିକ୍ଷୋଭ ହଟାଇବାକୁ ସାମରିକ ବଳର ବର୍ବରତା ସୀମା ଟପିବାରେ ଲାଗିଛି। ସେନା ଗୁଳିରେ ଗୁରୁବାର ଆଉ ୧୦ ଆନ୍ଦୋଳନକାରୀଙ୍କ ଜୀବନ ଯାଇଛି। ଫେବୃୟାରୀ ୧ରୁ ଏବେ ଯାଏ ସାମରିକ କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୭୦ ଜଣଙ୍କ ମୃତ୍ୟୁ ଘଟିଲାଣି। ମ୍ୟାନମାରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବାବେଳେ ବିକ୍ଷୋଭକାରୀଙ୍କ ଉପରେ ସୁରକ୍ଷାବଳର ଏଭଳି ବର୍ବରତାକୁ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ନିନ୍ଦା କରାଯାଇଛି। ସେଠାକାର ସେନା ସଂଯମତା ରକ୍ଷା କରି ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ସହ ଗିରଫ କରିଥିବା ଲୋକଙ୍କୁ ମୁକ୍ତ କରିବାକୁ ପରିଷଦ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ହେଲେ ସେନା ଏହାକୁ ବେଖାତିର କରି ନରସଂହାର ଜାରି ରଖିଛି।
ଲଣ୍ଡନସ୍ଥିତ ଅନ୍ତର୍ଜାତୀୟ ମାନବାଧିକାର ସଙ୍ଗଠନ ଆମେନ୍‌ଷ୍ଟି ଇଣ୍ଟରନ୍ୟାଶନାଲ ଗୁରୁବାର ଏକ ରିପୋର୍ଟରେ କହିଛି, ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ସେନା ଘାତକ ରଣନୀତି ପ୍ରସ୍ତୁତ କରିଛି। ସେମାନଙ୍କ ଉପରେ ଗୁଳିଚାଳନା ଓ ବ୍ୟାପକ ଅସ୍ତ୍ରଶସ୍ତ୍ର ଦ୍ୱାରା ଆକ୍ରମଣ ହେଉଛି। ବିକ୍ଷୋଭକାରୀଙ୍କ ବିରୋଧରେ ନ୍ୟାୟ ବହିର୍ଭୂତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ହସ୍ତଗତ ହୋଇଥିବା ପ୍ରାୟ ୫୦ ଭିଡିଓରୁ ଏହି ସଙ୍ଗଠନ ଜାଣିବାକୁ ପାଇଛି। ଅନ୍ୟପକ୍ଷରେ ସ୍ୟୁ ଚୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛି ମ୍ୟାନମାର ସେନା। ରାଜଧାନୀ ନାପିତାଓରେ ଏକ ଖବରଦାତା ସମ୍ମିଳନୀ କରି ସେନା ମୁଖପାତ୍ର ଜ ମିନ୍‌ ତୁନ୍‌ କହିଛନ୍ତି, ୟାଙ୍ଗୁନ ଡିଭିଜନ ମୁଖ୍ୟମନ୍ତ୍ରୀ ଫିଓ ମିନ୍‌ ଥେନ୍‌ଙ୍କଠାରୁ ସ୍ୟୁ ଚୀ ୨୦୧୭-୧୮ରେ ବେଆଇନ ଭାବେ ୬ ଲକ୍ଷ ଆମେରିକୀୟ ଡଲାର ଏବଂ ସୁନା ନେଇଥିଲେ।

Share