ବ୍ୟବସ୍ଥା ଥାଇ ବାହାରେ

ରୂପାନ୍ତରୀକରଣ ପରେ ବଦଳିଛି ବିଦ୍ୟାଳୟର କଳେବର। ସୁଦୃଢ଼ ହୋଇଛି ଶୈଖିକ ଭିତ୍ତିଭୂମି। ହେଲେ ସରକାର କରିଥିବା ସୁବିଧାର ହେଉନି ସଦ୍‌ବ୍ୟବହାର। ଚକାଚକ୍‌ ଡାଇନିଂ ହଲ୍‌ ବ୍ୟବସ୍ଥା ଥାଇ ମଧ୍ୟ ବାହାରେ ମଧ୍ୟାହ୍ନଭୋଜନ ଖାଉଛନ୍ତି ପିଲା। ଅନୁଗୋଳସ୍ଥିତ ଖଲାରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଥିବା ଏପରି ଦୃଶ୍ୟ ଚକିତ କରିଦେଇଛି ଅନେକଙ୍କୁ।

ଅନୁଗୋଳ,୯।୭(ଅମିତ କୁମାର ସାମଲ)ଥାଳିରେ ଖାଇବା ଧରି କେତେଜଣ ନୂଳକୂଅ ଚଟାଣ ଉପରେ ବସିଛନ୍ତି ତ ଆଉ କେତେଜଣ ଗଛମୂଳେ। ବର୍ଷା ଭିଜା ମାଟି ଉପରେ ବସି ମଧ୍ୟ ମଧ୍ୟାହ୍ନ ଭୋଜନ ଖାଉଛନ୍ତି ପିଲା। ପରିବେଶ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ନ ହେଲେ ବି ଡାଇନିଂ ହଲ୍‌ ଥାଉ ଥାଉ ଅନୁଗୋଳ ସହର ଉପକଣ୍ଠ ଖଲାରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏପରି ଅବ୍ୟବସ୍ଥା କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି କେତେଜଣ ଅଭିଭାବକ। ଏପରି କି ଡାଇନିଂ ହଲ୍‌ରେ ତାଲା ପକାଯାଇଥିବା ନେଇ ଅଭିଯୋଗ କରିଛନ୍ତି ସେମାନେ।
ଅନୁଗୋଳ ଜିଲାରେ ଥିବା ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରୀକରଣ ସମୟରେ ଖଲାରୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିରେ ସାମିଲ କରାଯାଇଥିଲା। ଜିଲାପାଳ ମଧ୍ୟ ଏହି ବିଦ୍ୟାଳୟ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ। ୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଶିକ୍ଷାନୁଷ୍ଠାନ ଭିତ୍ତିଭୂମିକୁ ଅତ୍ୟାଧୁନିକ କରାଯାଇଥିଲା। ଗୁଣାତ୍ମକ ପାଠପଢ଼ା ଉପରେ ଗୁରୁତ୍ୱ ଦିଆଯିବା ସହ ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନ ଭୋଜନକୁ ଅଧିକ ସ୍ବାସ୍ଥ୍ୟକର କରିବା ପାଇଁ ଡାଇନିଂ ହଲ୍‌ର ବ୍ୟବସ୍ଥା କରାଯାଇଥିଲା। ମୋ ସ୍କୁଲ ଅଭିଯାନରେ ଏହି ହଲ୍‌ରେ ଟେବୁଲ୍‌ ଓ ବେଞ୍ଚ ପକାଇବାକୁ ଜିଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଥିଲା। କିନ୍ତୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସତ୍ତ୍ୱେ ଏହାର କିପରି ସଦ୍‌ବ୍ୟବହାର କରାଯିବ, ସେ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ତପତ୍ର ନ ଥିବା କୁହାଯାଉଛି। କାରଣ ସ୍କୁଲରେ ଥିବା ଡାଇନିଂ ହଲ୍‌ରେ ତାଲା ଠୁଙ୍କା ଯାଇ ପିଲାଙ୍କୁ ବାହାରେ ଖାଇବାକୁ ଦିଆଯାଉଥିବା ଅଭିଯୋଗ ହେଉଛି। ଏପରି କି ବର୍ଷା ଦିନ ହୋଇଥିଲେ ବି ପିଲାମାନେ ଯେପରି ସୁସ୍ଥକର ବାତାବରଣ ଭିତରେ ମଧ୍ୟାହ୍ନ ଭୋଜନ ଖାଇବେ ସେଥିପ୍ରତି ଆଦୌ ଦୃଷ୍ଟି ଦିଆଯାଉ ନ ଥିବା କେତେଜଣ ଅଭିଭାବକ ପ୍ରକାଶ କରିଛନ୍ତି। କେବଳ ଅଧିକାରୀମାନଙ୍କ ପରିଦର୍ଶନ ସମୟରେ ଡାଇନିଂ ହଲ୍‌ ଖୋଲାଯାଉଥିବା ସେମାନେ କହିିଛନ୍ତି। ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଗଲେ ମଧ୍ୟ ପିଲାଙ୍କ ମୁଣ୍ଡରେ ଦୋଷ ବୋଳି କର୍ତ୍ତୃପକ୍ଷ ଖସିଯାଉଥିବା ସମ୍ପୃକ୍ତ ଅଭିଭାବକମାନେ ପ୍ରକାଶ କରିଛନ୍ତି। ଯଦି ଆଗାମୀ ଦିନରେ ବ୍ୟବସ୍ଥାରେ ସୁଧାର ଅଣା ନ ଯାଏ, ତା’ହେଲେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।