ବାଣ ଫୁଟି ଯଜ୍ଞମଣ୍ଡପରେ ଲାଗିଲା ନିଆଁ

ଛତ୍ରପୁର,୮ା୧୨(ଦିଲ୍ଲୀପ ସାମଲ): କାଳୀମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଚାଲିଥିବା ବେଳେ  ନିଆଁ ଲାଗିଯାଇଥିଲା। ବାଣ ଫୁଟି ନିଆଁ ଲାଗିବାରୁ ହୁତୁହୁତୁ ହୋଇ ଯଜ୍ଞମଣ୍ଡପ ଜଳିଗଲା।

ଗଞ୍ଜାମ ଜିଲା ଚମାଖଣ୍ଡି ଅନ୍ତର୍ଗତ କୁଅଁପଲୀ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି। ଅଗ୍ନିଶମବାହିନୀ ଏବଂ ଗ୍ରାମବାସୀଙ୍କ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଛି। ସୌଭାଗ୍ୟବଶତଃ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ କାହାର କିଛି କ୍ଷତି ହୋଇନାହିଁ। ତିନିଦିନ ଧରି ଗ୍ରାମ ନୂତନ କାଳୀମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଥିଲା। ଗୁରୁବାର ସମସ୍ତ ପୂଜାର୍ଚ୍ଚନା କାର୍ଯ୍ୟ ସରିବା ପରେ ଗ୍ରାମ ପରିକ୍ରମା ସମୟରେ ବାଣ ଫୁଟି ଯଜ୍ଞମଣ୍ଡପରେ ନିଆଁ ଲାଗି ଯାଇଥିଲା ବୋଲି ସୂଚନା ମିଳିଛି।