ସରକାରଙ୍କୁ ଚେତାବନୀ ଦେଲେ ଚିତ୍ର ଶିଳ୍ପୀ କଳାକାର

କୋକସରା,୧୪।୩: କଳାହାଣ୍ଡି ଚିତ୍ରଶିଳ୍ପୀ କଳାକାର ସଂଘ ଆନୁକୂଲ୍ୟରେ କୋକସରା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଜିଲାସ୍ତରୀୟ ଚିତ୍ରଶିଳ୍ପୀ କଳାକାର ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଳକ ଚିତ୍ରଶିଳ୍ପୀ ସଂଘ ପକ୍ଷରୁ କଳାହାଣ୍ଡିର ବୀରବାଦ୍ୟ ଘୁମୁରାର ତାଳେ ତାଳେ ରାଜ୍ୟ ଓ ବିଭିନ୍ନ ଜିଲାରୁ ଆସିଥିବା ସଙ୍ଘ କର୍ମକର୍ତ୍ତାଙ୍କୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ କୋକସରା ବ୍ଳକ ସଂଘ ସଭାପତି ଆନନ୍ଦ ସିଂଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ଚିତ୍ରଶିଳ୍ପୀ ସଙ୍ଘ ସମ୍ପାଦକ ରଞ୍ଜନ ମିଶ୍ର ଉପସ୍ଥିତ ରହି ଚିତ୍ରଶିଳ୍ପୀଙ୍କ ସମସ୍ୟା ଉପରେ ମତବ୍ୟକ୍ତ କରିଥିଲେ। ବର୍ତ୍ତମାନ କଳାକାର ଓ ଚିତ୍ରଶିଳ୍ପୀମାନେ ରୋଜଗାର ହରାଇ ବହୁ କଷ୍ଟରେ ପରିବାର ଚଳାଉଛନ୍ତି। ଏଭଳିସ୍ଥିତିରେ କଳାକାରଙ୍କ ହକ୍‌ ମାଗିବାକୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ପଡିବ ବୋଲି କହିଥିଲେ। ଦାବି ପୂରଣ ନ ହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ। ସମ୍ମିଳନୀରେ କଳାହାଣ୍ଡି ଚିତ୍ରଶିଳ୍ପୀ ସଂଘର ସଭାପତି ହିମାଂଶୁ ଶେଖର ନାଏକ, ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ମୁରିବାହାଲ ସଭାପତି ଗୋପାଳ ସିଂ ଭୋଇ, ନୂଆପଡ଼ା ଜିଲା ସଭାପତି ଗୌରାଙ୍ଗ ମଲ୍ଲିକ, ଗଞ୍ଜାମ ଜିଲା ସଭାପତି ଦିଗାମ୍ବର ଜେନା, ଜୁନାଗଡ଼ ବ୍ଳକ ସଭାପତି ଦାମୋଦର ବେହେରା, ପ୍ରଦୀପ୍ତ ପାଟ୍ଟଯୋଷି, ଗଜିନ୍ଦ୍ର ନାଗ, ସୁରେଶ ସାହୁ, ହେମନ୍ତ ଧଙ୍ଗଡାମାଝି, ହୃଷୀକେଶ ରାଉତଙ୍କ ସହ ଜିଲାର ପ୍ରମୁଖ କର୍ମକର୍ତ୍ତା ଯୋଗ ଦେଇଥିଲେ।

Share