ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିଲେ ଏହି ଏଏସ୍‌ଆଇ, ସ୍ପଷ୍ଟ କଲେ ଏସ୍‌ଡିପିଓ

ଝାରସୁଗୁଡ଼ା ଅଫିସ,୨୯।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ ଘଟଣା ହଟଚମଟ ସୃଷ୍ଟି କରିଛି। ଜଣେ ଏଏସ୍‌ଆଇ ତାଙ୍କୁ ଗୁଳିମାଡ଼ କରିଥିବା ସ୍ପଷ୍ଟ ହୋଇଛି। ସେ ଝାରସୁଗୁଡ଼ା ବ୍ରଜରାଜନଗର ଗାନ୍ଧି ଛକ ପୋଲିସ ଆଉଟ୍‌ପୋଷ୍ଟରେ ନିଯୁକ୍ତ ହୋଇଥିବା ଗୋପାଳ ଦାସ ବୋଲି ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ କହିଛନ୍ତି। ତେବେ ସେ କାହିଁକି ତାଙ୍କ ଉପରକୁ ଗୁଳି ଚଳାଇଲେ ତାହା ଜଣାପଡ଼ିନାହିଁ। ତାଙ୍କୁ ପଚରାଉଚରା କରାଯାଉଥିବା ଏସ୍‌ଡିପିଓ କହିଛନ୍ତି।

ପ୍ରକାଶ ଯେ, ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ବ୍ରଜରାଜନଗର ଆସିଥିବା ବେଳେ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିଲା। ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କୁ ଏଏସ୍‌ଆଇ ଗୁଳି କରିଥିଲେ। ତାଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଅବସ୍ଥା ଗୁରୁତର ରହିଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଆପୋଲୋ ହସ୍‌ପିଟାଲ୍‌କୁ ଅଣାଯାଇଛି।

Share