ଦିନକ ପୂର୍ବରୁ ସରିଲା ବିଧାନସଭା

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ଶେଷ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଙ୍ଗଳବାର ମୁଲତବୀ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହୋଇଥିବା ଚଳିତ ଅଧିବେଶନ ୭ଦିନ ପାଇଁ ଚାଲିଲା। ଚଳିତ ଅଧିବେଶନରେ ମୋଟ ୭ଟି ବିଲ୍‌ ପାରିତ ହୋଇଥିବାବେଳେ ଶେଷ ଦିବସରେ ମୋଟ ୫ଟି ବିଲ୍‌ ପାରିତ ହୋଇଛି। ପୂର୍ବରୁ ଓଡ଼ିଶା ସଂକ୍ରାମକ ରୋଗ (ସଂଶୋଧନ) ବିଲ୍‌ ଏବଂ ଓଡ଼ିଶା ନ୍ୟାୟାଳୟ-ଫି(ସଂଶୋଧନ) ବିଲ୍‌ ପାରିତ ହୋଇସାରିଥିବା ବେଳେ ମଙ୍ଗଳବାର ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ୍‌, ଓଡ଼ିଶା ଆଇନଜୀବୀ କଲ୍ୟାଣ ପାଣ୍ଠି(ସଂଶୋଧନ) ବିଲ୍‌, ଓଡ଼ିଶା ଶିଳ୍ପ ବିବାଦ(ସଂଶୋଧନ) ବିଲ୍‌, ଓଡ଼ିଶା ପୌର ବିଧି(ସଂଶୋଧନ) ବିଲ୍‌ ଏବଂ ଓଡ଼ିଶା ଦ୍ରବ୍ୟ ଓ ସେବାକର(ସଂଶୋଧନ) ବିଲ୍‌ ପାରିତ ହୋଇଛି। ସେହିଭଳି ଭାଜପାର ୨ଟି ଏବଂ କଂଗ୍ରେସର ଗୋଟିଏ ମୁଲତବୀ ପ୍ରସଙ୍ଗକୁ ମିଶାଇ ମୋଟ ୩ଟି ମୁଲତବୀ ପ୍ରସଙ୍ଗ ଉପରେ ଏଥର ଆଲୋଚନା ହୋଇଥିଲା। କରୋନା କଟକଣା ମଧ୍ୟରେ ବିଧାନସଭା ଚାଲିଥିବାରୁ ଏଥର ପ୍ରଶ୍ନକାଳ ରହି ନ ଥିଲା। ସ୍ବର୍ଗତ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିୟୋଗରେ ୪ତାରିଖରେ ଶୋକ ପ୍ରସ୍ତାବ ଅଣାଯାଇ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଥିଲା। ଶେଷ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହର ସୁପରିଚାଳନା ପାଇଁ ବିରୋଧୀ ଦଳ ନେତାଙ୍କ ସହ ସମସ୍ତ ସଦସ୍ୟ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଶାସନ ଦଳ, ବିରୋଧୀ ଦଳ ଏବଂ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ। ତେବେ ଅନ୍ତିମ ଦିବସରେ ଭାଜପା କୌଣସି ଆଲୋଚନାରେ ସାମିଲ ହୋଇ ନ ଥିଲା।

Share