Advertisement

ଦେଶରେ ଏବେ ଭୟର ବାତାବରଣ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୭।୧୧: କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ବର୍ତ୍ତମାନ ମହାରାଷ୍ଟ୍ର ଦେଇ ଯାଉଛି। ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଖବରଦାତା ସମ୍ମିଳନୀ କରି ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ରାହୁଲ କହିଛନ୍ତି, ଗତ ୮ ବର୍ଷ ଧରି ଦେଶରେ ଭୟର ବାତାବରଣ ରହିଛି। ଘୃଣା ଓ ହିଂସା ବ୍ୟାପିବାରେ ଲାଗିଛି। ବୋଧହୁଏ ଭାଜପା ନେତାମାନେ ଭାରତର କୃଷକ ଏବଂ ଯୁବକମାନଙ୍କ ସହ କଥାବାର୍ତ୍ତା କରନ୍ତି ନାହିଁ। ଯଦି ସେମାନେ ତାହା କରିଥାନ୍ତେ, ତେବେ ଜାଣିଥାନ୍ତେ ଯେ ଭାରତର କୃଷକ ଏବଂ ଯୁବକମାନେ ଆଗକୁ ବଢିବାକୁ ରାସ୍ତା ପାଉନାହାନ୍ତି। ବେରୋଜଗାରୀ ବଢୁଛି, ଦରଦାମ ବୃଦ୍ଧି ଘଟୁଛି, କୃଷକମାନେ ଉପଯୁକ୍ତ ମୂଲ୍ୟ ପାଉନାହାଁନ୍ତି। ଭାଜପା ସମସ୍ତ ସାମ୍ବିଧାନିକ ଅନୁଷ୍ଠାନକୁ କାବୁ କରିଛି। ଗଣମାଧ୍ୟମକୁ ମଧ୍ୟ ନିଜ ନିୟନ୍ତ୍ରଣରେ ରଖିଛି। ଆମକୁ ସଂସଦରେ କହିବାକୁ ଅନୁମତି ନାହିଁ। ଜବାବ ରଖିବାକୁ କୌଣସି ବାଟ ବାକି ନାହିଁ, ସେଥିପାଇଁ ଆମେ ଭାରତ ଯୋଡୋ ଯାତ୍ରା ଆରମ୍ଭ କଲୁ।
ଏହି ସମୟରେ ରାହୁଲ ୩ଟି ପ୍ରମୁଖ ସମସ୍ୟା ବିଷୟରେ କହିଛନ୍ତି। ରାହୁଲ କହିଛନ୍ତି, ମାତାପିତା କଠିନ ପରିଶ୍ରମ କରି ଟଙ୍କା ଦେଇ ପିଲାଙ୍କୁ ଘରୋଇ ଅନୁଷ୍ଠାନରେ ପଢାଇଲେ କିନ୍ତୁ ପିଲାଙ୍କ ଭବିଷ୍ୟତର ରାସ୍ତା ବନ୍ଦ ରହିଛି। ଦ୍ୱିତୀୟ ସମସ୍ୟା ହେଉଛି ଯିଏ ଦେଶକୁ ଖାଦ୍ୟ ଯୋଗାଉଛନ୍ତି ତାଙ୍କୁ କୌଣସି ସମର୍ଥନ ନାହିଁ। ତୃତୀୟ ସମସ୍ୟା- ସରକାରୀ ଡାକ୍ତରଖାନା ଏବଂ ବିଦ୍ୟାଳୟ ଅଭାବ।
ସୂଚନାଯୋଗ୍ୟ,ରାହୁଲ ଗାନ୍ଧୀ ବର୍ତ୍ତମାନ ‘ଭାରତ ଯୋଡୋ ଯାତ୍ରା’ କରୁଛନ୍ତି। ଏହି ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇ କଶ୍ମୀର ପର୍ଯ୍ୟନ୍ତ ଯିବ। କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ତେଲେଙ୍ଗାନା ଏବଂ କର୍ନାଟକ ଦେଇ ମହାରାଷ୍ଟ୍ରରେ ପହଞ୍ଚିଛି। ଏହି ଯାତ୍ରାର ପରବର୍ତ୍ତୀ ମିଶନ ମଧ୍ୟପ୍ରଦେଶ ହେବ। ନଭେମ୍ବର ୨୦ରେ ଏହି ଯାତ୍ରା ମଧ୍ୟପ୍ରଦେଶରେ ପ୍ରବେଶ କରିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share