ଆକର୍ଷଣ ପାଲଟିଛି ତନ୍ମୟୀଙ୍କ ଇକୋ ଫ୍ରେଣ୍ଡଲି ରାଖୀ

ବାଲେଶ୍ୱର ଅଫିସ,୧୯।୭ ଆଗକୁ ଆସୁଛି ରାଖୀ ପୂର୍ଣ୍ଣିମା। ଇକୋ ଫ୍ରେଣ୍ଡଲି ରାଖୀ ତିଆରି କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟ ଶେଷବର୍ଷର ଛାତ୍ରୀ ତନ୍ମୟୀ ପାଢ଼ୀ। ପରମ୍ପରା ରକ୍ଷା ସାଙ୍ଗକୁ ସମାଜକୁ କିପରି ସଚେତନତା ବାର୍ତ୍ତା ଦେଇହେବ, ମହତ ଉଦ୍ଦେଶ୍ୟ ରଖି ତନ୍ମୟୀ ଏଭଳି ରାଖୀ ପ୍ରସ୍ତୁତ କରିଛନ୍ତି। ଏଥିରେ ସେ ଝୋଟସୂତା, କାଗଜ ଓ କିଛି ସାଜସଜ୍ଜା ସାମଗ୍ରୀ ବ୍ୟବହାର କରିଛନ୍ତି।
ତନ୍ମୟୀ ପୂର୍ବରୁ କାଗଜରେ ବିଭିନ୍ନ ହାତ ତିଆରି ଘର ସାଜସଜ୍ଜା ସାମଗ୍ରୀ ତିଆରି କରି ଚର୍ଚ୍ଚାରେ ରହିଥିଲେ। ଏବେ ପୁଣି ରାଖୀ ତିଆରି କରି ପ୍ରଶଂସା ସାଉଁଟିଛନ୍ତି। ବଜାରରେ ମିଳୁଥିବା ବିଭିନ୍ନ ଚକମକ ରାଖି ନୁହେଁ ବରଂ ନିଜେ ହାତରେ ତିଆରି କରି ଏଥର ଭାଇମାନଙ୍କୁ ଭଉଣୀମାନେ ରାଖୀ ବାନ୍ଧିବାର ଲକ୍ଷ୍ୟ ନେଇ ତନ୍ମୟୀ ଆରମ୍ଭ କରିଛନ୍ତି ରାଖୀ ତିଆରି। ଏହା ସମ୍ପୂର୍ଣ୍ଣ ଭାବେ ପରିବେଶ ଉପଯୋଗୀ ହୋଇଥିବା ବେଳେ ଏହା ହାତ ତିଆରି ବୋଲି ଦେଖିଲେ କେହି ବିଶ୍ୱାସ କରି ପାରିବେନି। ଏଥିରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀ ବଜାରରେ ଉପଲବ୍ଧ ହେଉଛି। ରାଖୀ ତିଆରି ପାଇଁ ତନ୍ମୟୀଙ୍କୁ ବହୁତ କମ ସମୟ ଲାଗୁଛି। ଅତି ସୂକ୍ଷ୍ମ କାରୁକାର୍ଯ୍ୟ କରାଯାଉଥିବା ବେଳେ ଚଳିତବର୍ଷ ଏମିତି ରାଖି ବେଶ୍‌ ଚାହିଦା ରହିବ ବୋଲି ବାରି ହୋଇପଡୁଛି।
ରାଖୀର ପ୍ରଚାର ପ୍ରସାର ପାଇଁ ତନ୍ମୟୀଙ୍କ ସାନ ଭଉଣୀ ତୃପ୍ତି ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରି ଲୋକଙ୍କୁ ଏହାକୁ ବ୍ୟବହାର କରିବା ପାଇଁ ନିବେଦନ କରୁଛନ୍ତି। ଏହି ରାଖୀର କୌଣସି ମୂଲ୍ୟ ଧାର୍ଯ୍ୟ କରାଯାଇ ନ ଥିବା ବେଳେ ଏହା ଅତି କମ୍‌ ପଇସାରେ ଯୋଗାଇ ଦିଆଯିବ ବୋଲି ତନ୍ମୟୀ କହିଛନ୍ତି। ଏମିତିକି ଆବଶ୍ୟକ ପଡ଼ିଲେ ସେ କୌଣସି ପାରିଶ୍ରମିକ ନେବେ ନାହିଁ ବୋଲି କହିଛନ୍ତି। ସବୁବେଳେ କିଛି ନୂଆ କରିବାକୁ ତନ୍ମୟୀ ପ୍ରୟାସ କରିଥାନ୍ତି। ପ୍ରକାଶ ଥାଉକି, ତନ୍ମୟୀ ବରିଷ୍ଠ ଖବରଦାତା ସ୍ବର୍ଗତ ତାରିଣୀ ପାଢ଼ୀଙ୍କ ବଡ଼ ଝିଅ ଅଟନ୍ତ ।

Share