ଯୁଦ୍ଧ ଇତିହାସର କାହାଣୀ ଦେଖିବେ ଦର୍ଶକ

କଟକ ଅଫିସ,୧ା୧୧:ବାଲିଯାତ୍ରାରେ ଦେଖିବାକୁ ମିଳିବ ଭାରତୀୟ ନୌସେନାର ଝଲକ। ଯୁବପିଢ଼ିଙ୍କୁ ଆକର୍ଷଣ କରିବାକୁ ନିଆରା ଯୋଜନା ପ୍ରସ୍ତୁତି କରିଛି ଜିଲା ପ୍ରଶାସନ। ଚଳିତବର୍ଷ ବାଲିଯାତ୍ରାରେ ଭାରତୀୟ ନୈସେନାର ପରାକାଷ୍ଠା, ନୌସେନା ଜାହାଜ ଏବଂ ନୌସେନା ବ୍ୟାଣ୍ଡ ପ୍ରଦର୍ଶିତ ହେବ। ଉଦ୍‌ଘାଟନୀ ଉତ୍ସବରେ ନୌସେନା ୪୦ ମିନିଟର ବ୍ୟାଣ୍ଡ ପ୍ରଦର୍ଶନ କରିବ। ଏହାସହ ମହାନଦୀରେ ଜଳରାଶିରେ ରହିବ ନୌସେନା ଜାହାଜ। ଯାହାକୁ ଦେଖିବାର ସୁଯୋଗ ମିଳିବ ବାଲିଯାତ୍ରା ବୁଲି ଆସୁଥିବା ଦର୍ଶକଙ୍କୁ। ସାଧାରଣ ଲୋକ ଜାହାଜ ମଧ୍ୟକୁ ଯାଇ ତାହା ମଧ୍ୟରେ କ’ଣ ସବୁ ରହିଛି ବୁଲି ଦେଖିପାରିବେ। ଏଥିପାଇଁ ସ୍ବତନ୍ତ୍ର ନୌସେନା ଅଧିକାରୀମାନେ ଉପସ୍ଥିତ ରହିବେ। ଏଥିସହ ସ୍ବତନ୍ତ୍ର କେଓସ୍କେ ମାଧ୍ୟମରେ ପ୍ରଦର୍ଶିତ ହେବ ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ ନୌସେନାର ବୀରତ୍ୱର ଗାଥା। ଏ ନେଇ ଆଇଏନ୍‌ଏସ୍‌ ଚିଲିକା ନୌସେନା ଅଧିକାରୀମାନେ ବାଲିଯାତ୍ରା ପଡିଆ ଓ ମହାନଦୀ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିପାଇଁ ରବିବାର ଚିଲିକା ଆଇଏନ୍‌ଏସ୍‌ ଅଧିକାରୀମାନେ ଜିଲାପଳଙ୍କ ସହ ଆଲୋଚନା କରିଥିଲେ।
ଆମର ଗର୍ବ ଏବଂ ଗୌରବ ହେଉଛି ଆଇଏନ୍‌ଏସ୍‌ ଚିଲିକା। ସେଥିପାଇଁ ସେମାନଙ୍କୁ ଯୋଗଯୋଗ କରିଥିଲି। ବାଲିଯାତ୍ରାରେ ସାମିଲ ହେବା ପାଇଁ ସେମାନ ବହୁତ ଖୁସି ଅଛନ୍ତି। ଏହି ଅବସରରେ ବୋଟ ସହ ବ୍ୟାଣ୍ଡ ମଧ୍ୟ ରହିବ ବୋଲି ଜିଲାପାଳ କହିଛନ୍ତି।
ବାହାରୁ ଆସିବେ ୩ ଖାଦ୍ୟ ସୁରକ୍ଷା ଅଧିକାରୀ
ବାଲିଯାତ୍ରାରେ ଖାଦ୍ୟର ମାନ ଯାଞ୍ଚ ନିମନ୍ତେ ସିଏମ୍‌ସି ନିକଟରେ ଆବଶ୍ୟକତା ଅନୁସାରେ ଖାଦ୍ୟ ସୁରକ୍ଷା ଅଧିକାରୀ ନାହାନ୍ତି। ଏଥିପାଇଁ ବାହାର ସ୍ଥାନରୁ ୩ଜଣ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିୟୋଜିତ କରାଯିବ। ସେମାନେ ସିଏମ୍‌ସି ଖାଦ୍ୟ ସୁରକ୍ଷା ବିଭାଗ ସହ ମିଳିତ ଭାବେ କାର୍ଯ୍ୟ କରିବେ। ଏଥିପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ବିଭାଗର କମିଶନରଙ୍କୁ ସିଏମ୍‌ସି ପକ୍ଷରୁ ଚିଠି କରାଯାଇଛି ବୋଲି ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି।

ଆସିଲା ବାୟୋ ଟଏଲେଟ
ଚଳିତବର୍ଷ ବାଲିଯାତ୍ରାରେ ପାନୀୟ ଜଳଯୋଗାଣ ଏବଂ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ଏଥି ନିମନ୍ତେ ବାଲିଯାତ୍ରା ତଳପଡ଼ିଆରେ ଜୋରସୋର କାର୍ଯ୍ୟ କରାଯାଉଛି। ଏବେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ପାଣି ଟାଙ୍କି ସ୍ଥାପନ କାର୍ଯ୍ୟ ଚାଲିଥିବାବେଳେ ବାୟୋ ଟଏଲେଟ ଆସିସାରିଛି। ସିଏମସି ପକ୍ଷରୁ ଏହି ବାୟୋ ଟଏଲେଟର ବ୍ୟବସ୍ଥା କରାଯାଇଛି।

ଆଜିଠୁ ତତ୍କାଳ ପ୍ଲଟ୍‌ ପଞ୍ଜୀକରଣ, ଆବଣ୍ଟନ

ବାଲିଯାତ୍ରାରେ ବଳକା ଥିବା ପ୍ଲଟ ଆବଣ୍ଟନ କରାଯିବ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ନଭେମ୍ବର ୧ ଓ ୨ ତାରିଖ ଧାର୍ଯ୍ୟ କରାଯାଇଛି। ଉକ୍ତ ଦିନ ତତ୍କାଳ ପଞ୍ଜୀକରଣ ଓ ପ୍ଲଟ ଆବଣ୍ଟନ କରାଯିବ। ପଞ୍ଜୀକରଣ ପୂର୍ବାହ୍ନ ୧୧ଟାରେ ହେବ ଓ ପ୍ଲଟ ଆବଣ୍ଟନ ଅପରାହ୍ନ ୧ଟା ୩୦ରୁ ଆରମ୍ଭ କରାଯିବ। ଯେଉଁ ବ୍ୟକ୍ତି ବା ବ୍ୟବସାୟୀ ଆଦୌ ସ୍ଥାନ ପାଇନାହାନ୍ତି ସେମାନଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ପୁନଃ ଯଦି ଗୋଟିଏ ପ୍ଲଟ ଉପରେ ଏକାଧିକ ଆବେଦନକାରୀ ଆବେଦନ କରନ୍ତି, ତେବେ ସେ କ୍ଷେତ୍ରରେ ନିଲାମ ମାଧ୍ୟମରେ ପ୍ଲଟ ଆବଣ୍ଟନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

Share