ଆସିଲା ଅଗଷ୍ଟ ଗାଇଡ୍‌ଲାଇନ୍‌: ଜାଣନ୍ତୁ କ’ଣ ହେବ ଖୋଲା, କ’ଣ ରହିବ ବନ୍ଦ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଆଂଶିକ ଲକ୍‌ଡାଉନ୍‌ ସରୁଥିବାରୁ ଅଗଷ୍ଟ ମାସ ପାଇଁ ଶନିବାର ନୂଆ ଗାଇଡ୍‌ଲାଇନ ଘୋଷଣା କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା।  ଏହା ସେପ୍ଟେମ୍ବର ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ। ରାଜ୍ୟରେ କରୋନା ମହାମାରୀକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଗତ ଜୁଲାଇ ୧୫ ତାରିଖରେ ଘୋଷିତ ଲକ୍‌ଡାଉନ୍‌ର ଷଷ୍ଠ ପର୍ଯ୍ୟାୟ ଅବଧି ରବିବାର ଶେଷ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ  ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର।  କୋଭିଡ୍‌ ପରିଚାଳନା ନେଇ ସେ ସବିଶେଷ ତଥ୍ୟ ରଖିଛନ୍ତି ।  ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହୋଇଥିଲେ ହେଁ ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଆମ ରାଜ୍ୟର ୨୭ଟି ଜିଲାରେ ସଂକ୍ରମଣ ହାର ନଗଣ୍ୟ ଅଛି। କଟକ, ଖୋର୍ଦ୍ଧା ଓ ପୁରୀରେ ଟିକେ ଅଧିକ। ତେବେ ଉଦ୍‌ବେଗଜନକ ନୁହେଁ। ଜୀବନ ଜୀବିକା ସମନ୍ବୟ ପାଇଁ ଧୀରେ ଧୀରେ ଅନଲକ ହେଉଛି। ରାଜ୍ୟରେ ଦେଢ଼କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଗଲାଣି ବୋଲି ଏସ୍‌ଆର୍‌ସି କହିଛନ୍ତି ।

ତେବେ ଅଗଷ୍ଟ ଗାଇଡ୍‌ଲାଇନ୍‌ ଘୋଷଣା ପରିପ୍ରେକ୍ଷୀରେ ସେ କହିଛନ୍ତି, ପ୍ରତିଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ରହିବ। ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହାନ୍ତ ଶଟ୍‌ଡାଉନ ଲାଗୁ ରହିବ। ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା ରହିବ । ସମସ୍ତ ଧାର୍ର୍ମିକ, ରାଜନୈତିକ ଓ ସାମାଜିକ ସମାବେଶକୁ ମନା କରାଯାଇଛି। ପ୍ରଦର୍ଶନୀ, ବାଣିଜି୍ୟକ ମେଳା ମହୋତ୍ସବକୁ ମଧ୍ୟ ବାରଣ କରାଯାଇଛି । ବିବାହ ଏବଂ ଶୁଦ୍ଧିକ୍ରିୟାରେ ପୂର୍ବ କଟକଣା ବଳବତ୍ତର ରହିଛି।

ରାଜ୍ୟରେ ଥିବା ସମସ୍ତ ମଲ୍‌ କୋଭିଡ୍‌ କଟକଣା ମଧ୍ୟରେ ଖୋଲାଯିବ। ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ସେହି ଜିଲାର ଜିଲାପାଳ ନିଷ୍ପତ୍ତି ନେଇପାରିବେ। ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ ହୋଇପାରିବ। ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍‌ ଖୋଲିବ। ସମୁଦ୍ରକୂଳ ଓ ପାର୍କ ଖୋଲା ରହିବ। ପର୍ଯ୍ୟଟକ ଗାଇଡଲାଇନ ମାନିବେ।

Share