Categories: ଖେଳ

ଚିନ୍ତାରେ ଅଷ୍ଟ୍ରେଲିଆ ଦଳ

ନୂଆଦିଲ୍ଲୀ,୨୧।୨: ଭାରତ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବା ପରେ ଅଷ୍ଟ୍ରେଲିଆ ଦଳକୁ ଝଟ୍‌କା ପରେ ଝଟ୍‌କା ଲାଗିଚାଲିଛି। ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଅଧିନାୟକ ପ୍ୟାଟ କମିନ୍ସ ବ୍ୟକ୍ତିଗତ କାରଣରୁ ଘରକୁ ଫେରିଥିବାବେଳେ ଡେଭିଡ ୱାର୍ନର, ଲାନ୍ସ ମରିସ, ଆଷ୍ଟନ ଅଗର ଏବଂ ଅନ୍ୟ କେତେକ ଖେଳାଳି ମଧ୍ୟ ନିଜ ଘରକୁ ଫେରିଛନ୍ତି।
ତିନି ଦିନ ମଧ୍ୟରେ ଦିଲ୍ଲୀ ଟେଷ୍ଟ ମ୍ୟାଚ ମଧ୍ୟ ଶେଷ ହେବା ପରେ କମିନ୍ସ ପରିବାର ସଦସ୍ୟଙ୍କ ଗୁରୁତର ଅସୁସ୍ଥତା କାରଣରୁ ନିଜ ଘରକୁ ଫେରିଛନ୍ତି। ଏଥି ସହିତ, ଡେଭିଡ ୱାର୍ନର ଆଘାତ କାରଣରୁ ଏବଂ ଜୋସ ହେଜେଲଉଡ ଅନଫିଟ୍‌ ହେବା ପରେ ଏହି ସମଗ୍ର ଗସ୍ତରୁ ବାଦ୍‌ ପଡିଛନ୍ତି।
ଏସବୁ ବ୍ୟତୀତ ଅଷ୍ଟ୍ରେଲିଆ ଦଳର ଅନ୍ୟ ଖେଳାଳି ଯେଉଁମାନେ ସ୍ବଦେଶକୁ ଫେରୁଛନ୍ତି ସେମାନଙ୍କ ମଧ୍ୟରେ ବାମହାତୀ ସ୍ପିନର ଆଷ୍ଟନ ଅଗର ଅଛନ୍ତି, ଯିଏକି ଏପର୍ଯ୍ୟନ୍ତ ଏହି ଗସ୍ତରେ ଗୋଟିଏ ମ୍ୟାଚ ଖେଳିବାର ସୁଯୋଗ ପାଇ ନାହାଁନ୍ତି। ଏଥି ସହିତ ପ୍ରଥମ ଟେଷ୍ଟ ମ୍ୟାଚରେ ଚମତ୍କାର ବୋଲିଂ କରିଥିବା ଟଡ ମର୍ଫି ପାର୍ଶ୍ୱ ଚାପ ଯୋଗୁ ସ୍ବଦେଶ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ମିଚେଲ ସ୍ବେପସନ ଅଷ୍ଟ୍ରେଲିଆ ଫେରିଥିବାବେଳେ ଲାନ୍ସ ମରିସ ଏବଂ ମାଥ୍ୟୁ ରେନ୍ସାଙ୍କ ପ୍ରତ୍ୟାବର୍ତ୍ତନ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
ଏହି ଗସ୍ତରେ କଙ୍ଗାରୁ ଦଳ ପାଇଁ ଆଶ୍ୱସ୍ତିକର ଖବର ହେଉଛି ଅଲରାଉଣ୍ଡର କ୍ୟାମେରନ ଗ୍ରୀନ ଏବଂ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କୁ ସମ୍ପୂର୍ଣ୍ଣ ଫିଟ ଘୋଷଣା କରାଯାଇଛି। ଦଳରେ ଏହି ଦୁଇ ଖେଳାଳିଙ୍କ ଆଗମନ ସହିତ ଖେଳୁଥିବା ଏକାଦଶର ସନ୍ତୁଳନ ପୂର୍ବ ଅପେକ୍ଷା ଭଲ ଦେଖାଯିବ। ମାର୍ଚ୍ଚ ୧ରୁ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ତୃତୀୟ ଟେଷ୍ଟ ଖେଳାଯିବ।

Share