ନୂଆଦିଲ୍ଲୀ,୫।୫(ପି.ଟି.): କୋଭିଡ୍-୧୯ ପାଇଁ ଅଷ୍ଟ୍ରେଲିଆ ଭାରତରୁ ସବୁପ୍ରକାର ବିମାନଯାତ୍ରାକୁ ବାତିଲ କରିଛି। ଫଳରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ସାମିଲ ଥିବା ଅଷ୍ଟ୍ରେଲିଆ କ୍ରିକେଟର, ସପୋର୍ଟ ଷ୍ଟାଫ୍, କମେଣ୍ଟେଟରମାନେ ମାଳଦୀପ ଯିବେ ଓ ସେଠାରୁ ଅଷ୍ଟ୍ରେଲିଆ ଯାତ୍ରା କରିବେ ବୋଲି ଆଶା କରାଯାଉଛି।
ଆଇପିଏଲ୍କୁ ସସ୍ପେଣ୍ଡ କରାଯାଇଛି। କମେଣ୍ଟେଟର, କୋଚ୍ଙ୍କ ସମେତ ୧୪ଜଣ ଅଷ୍ଟ୍ରେଲିଆ ଖେଳାଳି ମାଳଦୀପ ବାଟ ଦେଇ ସ୍ବଦେଶ ଫେରିବେ। ତେବେ ଖେଳାଳି, କୋଚ୍, ସପୋର୍ଟ ଷ୍ଟାଫ୍, କମେଣ୍ଟେଟରଙ୍କୁ ନେଇ ୪୦ ଜଣ ଅଷ୍ଟ୍ରେଲୀୟ ଆଇପିଏଲ ବାୟ-ବବଲରେ ରହୁଥିଲେ। ଏମାନଙ୍କ ମଧ୍ୟରେ ପ୍ୟାଟ୍ କୁମିନ୍ସ, ଷ୍ଟିଭେନ ସ୍ମିଥ, ଗ୍ଲେନ ମ୍ୟାକ୍ସଓ୍ବେଲ, ରିକି ପଣ୍ଟିଂ, ସାଇମନ କାଟିଜ, ମାଇକେଲ ସ୍ଲାଟର ମାଳଦୀପ ଯାତ୍ରା କରିଛନ୍ତି। କୋଲକାତା ନାଇଟ ରାଇଡର୍ସ ପାଇଁ ଖେଳୁଥିବା ପ୍ୟାଟ କୁମିନ୍ସ ଭାରତରେ ସ୍ଥିତି ଅସମ୍ଭାଳ ବୋଲି କହିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ ଓ ଅଷ୍ଟ୍ରେଲିଆ କ୍ରିକେଟର୍ସ ଅସୋସିଏଶନ (ଏସିଏ) ସରକାରଙ୍କ ସହ ମିଶି ଏ ନେଇ କାର୍ଯ୍ୟକରୁଛନ୍ତି। ଭାରତରୁ ବିମାନ ଯାତ୍ରା ଅଷ୍ଟ୍ରେଲିଆ ବାତିଲ କରିଥିବାରୁ ଖେଳାଳମାନେ ନୂଆ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।