Categories: ମେଟ୍ରୋ

ବିକ୍ରି ଶିଶୁପୁତ୍ର ମାଳିସାହି ଅଞ୍ଚଳରୁ ଉଦ୍ଧାର

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନ ଅଞ୍ଚଳରୁ ବିକ୍ରି ହୋଇଥିବା ୬ଦିନର ଶିଶୁପୁତ୍ରକୁ ଖାରବେଳନଗର ଥାନା ଅନ୍ତର୍ଗତ ମାଳିସାହି ଅଞ୍ଚଳରୁ ଉଦ୍ଧାର କରାଯାଇଛି। ରାଜଧାନୀରେ ଶିଶୁ ବିକ୍ରି ନେଇ ଶୁକ୍ରବାର ଏକ ଭିଡିଓ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା। ଭିଡିଓ ଫୁଟେଜରୁ ଶିଶୁପୁତ୍ରକୁ କିଣିଥିବା ମହିଳାଙ୍କୁ ଚିହ୍ନଟ ପରେ ଶନିବାର ଚାଇଲ୍ଡଲାଇନ୍‌ ଓ ପୋଲିସ ପକ୍ଷରୁ ମାଳିସାହିରେ ଚଢ଼ାଉ କରାଯାଇଥିଲା। ସେଠାରୁ ଶିଶୁପୁପୁତ୍ରକୁ ଉଦ୍ଧାର ପରେ ପୋଲିସ ଚାଇଲ୍ଡ ଲାଇନ୍‌ ଜିମା ଦେଇଥିଲା। ଶିଶୁଟିକୁ ସିଡବ୍ଲୁସିରେ ହାଜର କରାଇବା ପରେ ତାଙ୍କୁ ଶୁଭଦ୍ରା ମହତାବ୍‌ ସେବା ସଦନରେ ରଖାଯାଇଥିବା ଚାଇଲ୍ଡ ଲାଇନ୍‌ ନିର୍ଦ୍ଦେଶକ ବେଣୁଧର ସେନାପତି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଶିଶୁଟିକୁ କିଣିଥିବା ମହିଳାଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି। ବିକ୍ରି କରିଥିବା ଅଭିଯୁକ୍ତ ବାପା ଫେରାର ଥିବାରୁ ତାଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଚଳାଇଥିବା ଥାନା ସୂତ୍ରରୁ ଜଣାପଡିଛି।

ତଦନ୍ତବେଳେ ଜଣାପଡିଛି ଯେ, ଶିଶୁଟିର ବାପା ଓ ମା’ ଷ୍ଟେଶନ ଅଞ୍ଚଳରେ ବୁଲି ବୁଲି କାମଧନ୍ଦା କରିବା ସହ ନିକଟ ଏକ ଝୁମ୍ପୁଡ଼ିରେ ରୁହନ୍ତି। ପୂର୍ବରୁ ସେମାନଙ୍କର ଦୁଇ ପିଲା ଥିବାବେଳେ କିଛିଦିନ ତଳେ ତାଙ୍କର ଆଉ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ତେବେ ଶିଶୁଟି ୬ଦିନର ହୋଇଥିବାବେଳେ ଗତ ୫ଦିନ ତଳେ ବିକି ଦେଇଥିଲେ। ଘଟଣାଦିନ ଶିଶୁଟିକୁ କିଣିଥିବା ମହିଳା ଜଣକ କୌଣସି କାମରେ ଷ୍ଟେଶନ ଅଞ୍ଚଳକୁ ଆସିଥିଲେ। ଏହି ସମୟରେ ମା’ କୋଳରେ ଥାଇ ଶିଶୁଟି ଜୋର୍‌ରେ କାନ୍ଦୁଥିବା ଦେଖି ନିକଟକୁ ଯାଇଥିଲେ। ପିଲାଟି କାହିଁକି ଏମିତି କାନ୍ଦୁଛି ବୋଲି ମା’ଙ୍କୁ ପଚାରିବା ସହ କିଛି ସମୟ ଧରି କଥା ହୋଇଥିଲେ। ଶିଶୁଟିକୁ ପାଳିବା ତାଙ୍କ ପକ୍ଷେ କଷ୍ଟ ହେଉଥିବାରୁ ବାପା କାହାକୁ ଦେଇଦେବାକୁ ଚାହୁଁଛନ୍ତି ବୋଲି ଶିଶୁର ମା’ କହିଥିଲେ। ଉକ୍ତ ମହିଳାଙ୍କର କୌଣସି ପିଲା ନ ଥିବାରୁ ସେ ଏକଥା ଶୁଣିବା ପରେ ଶିଶୁଟିକୁ ନେଇ ପାଳିବେ ବୋଲି ତାଙ୍କୁ କହିଥିଲେ। ପରେ ଶିଶୁର ବାପା ପହଞ୍ଚତ୍ ୧୦ ହଜାର ଟଙ୍କାରେ ଦେଇଦେବେ ବୋଲି କହିବାରୁ ମହିଳା ଜଣକ ଟଙ୍କା ଯୋଗାଡ଼ କଥା କହି ସେଠାରୁ ପଳାଇ ଆସିଥିଲେ। ତେବେ ଆସିବାବେଳେ ସେ ଶିଶୁର ବାପାଙ୍କ ଫୋନ୍‌ ନମ୍ବର ଆଣିବା ସହ ନିଜ ଠିକଣା ଦେଇ ଆସିଥିଲେ। ପରେ ମହିଳା ଜଣକ ନିଜ ଗହଣା ବିକ୍ରି କରି ଟଙ୍କା ଯୋଗାଡ଼ କରି ଶିଶୁର ବାପାଙ୍କୁ ଜଣାଇଥିଲେ। ଶିଶୁଟି ୬ଦିନର ହୋଇଥିବାବେଳେ ବାପା ତାଙ୍କୁ ଧରି ମହିଳାଙ୍କ ଘରେ ପହଞ୍ଚତ୍ଥିଲେ। ୧୦ ହଜାର ଟଙ୍କା ବଦଳରେ ଶିଶୁଟିକୁ ଧରାଇ ଚାଲିଯାଇଥିଲେ ବୋଲି ମହିଳା ଜଣକ କହିଛନ୍ତି। ତେବେ ଭିଡିଓରେ ମହିଳା ଶିଶୁଟିକୁ ଧରି ଆସୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଶିଶୁଟିକୁ ତାଙ୍କ ବାପା ଘରେ ଆଣି ଦେଇଥିବା କଥା ମହିଳା ଜଣକ କହୁଥିବାରୁ ପୋଲିସ ଅଧିକ ତଦନ୍ତ ଚଳାଇଛି।

Share