ଶିଶୁର କାନ ଅତ୍ୟନ୍ତ ସୂକ୍ଷ୍ମ ଏବଂ ନରମ। ତେଣୁ ଏହାକୁ ସଫା କରିବା ସମୟରେ କେତେଗୁଡ଼ିଏ ଦିଗ ପ୍ରତି ବିଶେଷ ଧ୍ୟାନ ନ ଦେଲେ ତାକୁ ଅଧିକ କଷ୍ଟ ହେବା ସହ କାନର ନରମ ଚର୍ମ ଘଷି ହୋଇ କ୍ଷତ ହେବାର ଆଶଙ୍କା ମଧ୍ୟ ବଢିଥାଏ…
– ପିଲାଙ୍କ କାନର ରନ୍ଧ୍ର ଖୁବ୍ ଛୋଟ ହୋଇଥିବାରୁ ଇଅରବଡ୍ରେ ସଫା କରିବା ବେଳେ ଯେପରି ମଳି ବାହାରିବା ପରିବର୍ତ୍ତେ ଠେଲି ହୋଇ କାନ ଭିତରକୁ ଚାଲି ନ ଯାଏ ସେଥିପ୍ରତି ସତର୍କ ରୁହନ୍ତୁ। ତା’ ଛଡା କାନ ଭିତରେ ବାହାର ଧୂଳି ଅବରୋଧ କରିବା ଲାଗି ପ୍ରାକୃତିକ ଉପାୟରେ ଥିବା ଅଠାଳିଆ ଉପାଦାନ ଛାଡିଯାଇଥାଏ ଏବଂ ଧୂଳି ସହଜରେ ଭିତରକୁ ଯାଇଥାଏ। ପତଳା ନରମ ସୂତା କପଡ଼ାକୁ ମୋଡ଼ି ଧୀରେ ଧୀରେ କାନ ସଫା କଲେ ପିଲାଙ୍କୁ କଷ୍ଟ ହୋଇ ନ ଥାଏ।
– ଏମିତିରେ ସମସ୍ତଙ୍କ କାନର ପରଦା ଅଧିକ ସମ୍ବେଦନଶୀଳ। ସେହି ଅନୁଯାୟୀ ପିଲାଙ୍କ କାନ ଆହୁରି ସମ୍ବେଦନଶୀଳ। ତେଣୁ ଇୟର ବଡ କିମ୍ବା ଅନ୍ୟ କୌଣସି ଜିନିଷରେ ପିଲାଙ୍କ କାନ ସଫା କରିବା ବେଳେ ସାମାନ୍ୟ ଭୁଲ୍ ପିଲାର କାନ ପରଦାକୁ କ୍ଷତି ପହଞ୍ଚାଇବା ଯୋଗୁ ରକ୍ତ ସ୍ରାବ ହେବା କିମ୍ବା ଫାଟିଯିବା ଭଳି ସମସ୍ୟା ଉପୁଜିଥାଏ। ଏମିତି କି ଏଥିପାଇଁ ପିଲାର ଶ୍ରବଣଶକ୍ତି ଚାଲିଯିବାର ଆଶଙ୍କା ବି ରହିଛି।
– ବେଳେ ବେଳେ ଅନେକ ମା’ ଥରେ ପିଲାର କାନ ସଫା କରିବା ପରେ ଇୟର ବଡ୍କୁ ପୁନର୍ବାର ବ୍ୟବହାର କରିବା ଲାଗି ରଖିଦିଅନ୍ତି। ହେଲେ ବାରମ୍ବାର ଏପରି କରିବା ଦ୍ୱାରା ପିଲା କାନରେ ଇନ୍ଫେକ୍ସନ ହୋଇ ଯନ୍ତ୍ରଣା ହୋଇଥାଏ।