୨୦୦ ଫୁଟ୍‌ ଟାଓ୍ବାରକୁ ଚଢ଼ିଗଲା ଶିଶୁ

କଣ୍ଟାପଡା, ୨ା୩(ଡି.ଏନ.ଏ.):କଣ୍ଟାପଡା ବ୍ଲକ ଅନ୍ତର୍ଗତ ବଡପାଟସୁନ୍ଦରପୁର ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଜଣେ ୪ ବର୍ଷର ଶିଶୁପୁତ୍ର ମୋବାଇଲ ଟାୱାର ନିକଟରେ ଖେଳୁଖେଳୁ ତାହା ଉପରେ ଚଢିଯାଇଥିଲା। ପରେ ସେହି ଗ୍ରାମର ଜଣେ ଯୁବକଙ୍କ ଉପସ୍ଥିତ ବୁଦ୍ଧି ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଶିଶୁକୁ ଉଦ୍ଧାର କରାଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, କୈଳାସ ସେଠୀ(୬୨)ଙ୍କ ୪ବର୍ଷର ପୁଅ କାହ୍ନା ଅପରାହ୍ନ ପ୍ରାୟ ୩ଟାରେ ଟାୱାର ନିକଟରେ ଖେଳୁଖେଳୁ ଏହା ଉପରକୁ ଚଢ଼ିଯାଇଥିଲା। ଖବରପାଇ ଉକ୍ତ ଗ୍ରାମର ପ୍ରଶାନ୍ତ ବେହେରା(୩୫) ପହଞ୍ଚି ଶିଶୁଟି ଟାଓ୍ବାର ଉପରେ ଚଢୁଥିବା ଦେଖିଥିଲେ। ସେ ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରିବା ପାଇଁ ଟାୱାର ଉପରକୁ ଚଢ଼ିବା ଆରମ୍ଭ କରିଥିଲେ। ହେଲେ ଶିଶୁଟି ପ୍ରାୟ ୨୦୦ ଫୁଟ ଉଚ୍ଚତା ବିଶିଷ୍ଟ ଟ୍ବାୱାର ଉପରକୁ ଚଢ଼ିଯାଇ ଉପରେ ବସିରହିଥିଲା। ପ୍ରଶାନ୍ତ କୌଶଳକ୍ରମେ ତାଙ୍କ ନିକଟରେ ପହଞ୍ଚି କାବୁକରି ନେଇଥିଲେ। ତେବେ ତାକୁ ତଳକୁ ଆଣିବା ପାଇଁ କୌଣସି ଉପାୟ ନ ପାଇବାରୁ ଅଡଶପୁର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନୀଶମ ଅଧିକାରୀ କୃଷ୍ଣଚନ୍ଦ୍ର ସାମଲଙ୍କ ନେତୃତ୍ୱରେ ଫାୟାରମ୍ୟାନ ରାକେଶ କୁମାର ସାହୁ ଓ ବିଜୟ ବେହେରା ଟାୱାର ଉପରେ ଚଢି ଶିଶୁକୁ ପିକ୍‌ବ୍ୟାଗ ସହାୟତାରେ ଅପରାହ୍ନ ୫.୩୦ ସୁଦ୍ଧା ତଳକୁ ଆଣିଥିଲେ। କାହ୍ନା ତଳେ ପହଞ୍ଚିବା ପରେ ସ୍ବାଭାବିକ ଭାବେ ଚଳପ୍ରଚଳ କରିଥିଲା। ଅଗ୍ନୀଶମ କର୍ମଚାରୀ ଶିଶୁକୁ ତାଙ୍କ ମା’କୁ ହସ୍ତାନ୍ତର କରି ଫେରିଯାଇଥିଲେ। ଜଣେ ଜେନେରେଟର ମେକାନିକ ଭାବେ କାମ କରୁଥିବା ପ୍ରଶାନ୍ତଙ୍କୁ ବିଭିନ୍ନ ମହଲରୁ ସାବାସି ମିଳିଛି। ତାଙ୍କର ଉପସ୍ଥିତ ବୁଦ୍ଧି ଓ ସାହସ ଯୋଗୁ ଶିଶୁଟିର ଜୀବନ ରକ୍ଷା କରାଯାଇପାରିଛି। ଏ ସମ୍ପର୍କରେ ପ୍ରଶାନ୍ତ କହିଛନ୍ତି, ଘଟଣାସ୍ଥଳରେ ପହଞ୍ଚିବା ପରେ କାହ୍ନାଙ୍କ ମା’ଙ୍କ କାନ୍ଦ ଦେଖି ବିଚଳିତ ହୋଇଯାଇଥିଲି। ପରେ ସାହସ ବାନ୍ଧି ଟାୱାର ଉପରେ ଚଢିଥିଲି। ସେଠାରୁ ଶିଶୁଙ୍କୁ କାବୁ କରି ଜୀବନ ରକ୍ଷା କରିପାରିଥିବାରୁ ଜୀବନ ସାର୍ଥକ ହୋଇଛି ବୋଲି କହିଛନ୍ତି। ସେହିପରି ଅଗ୍ନିଶମ କର୍ମଚାରୀମାନଙ୍କ କର୍ତ୍ତବ୍ୟନିଷ୍ଠାକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।
ଅପରପକ୍ଷେ ଉକ୍ତ ଟାୱାରର ସୁରକ୍ଷା ବାଡ ନଷ୍ଟ ହୋଇଯାଇଥିବାରୁ ବିଭିନ୍ନ ସମୟରେ ପିଲାମାନେ ଏଠାରେ ଖେଳିବା ପାଇଁ ପଶିଯାଆନ୍ତି। ଫଳରେ ସୋମବାର ଏଭଳି ଘଟଣା ଘଟିଲା ବୋଲି ସେହି ଗ୍ରାମର ରଞ୍ଜନ କୁମାର ଦାସ କହିଛନ୍ତି।

Share