ଢେଙ୍କାନାଳ,୩୧ା୮(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାସୋଳ ସେକ୍ସନ ଲହଡ଼ାଠାରେ ସାପୁଆ ମୁଖ୍ୟ କେନାଲରେ ଶୁକ୍ରବାର ରାତିରୁ ଫସିଥିଲେ ମା’ ଓ ଛୁଆ ହାତୀ। ଦୀର୍ଘ ୫ ଘଣ୍ଟାର କସରତ ପରେ ଜେସିବି ସହାୟତାରେ ବନ ବିଭାଗ କର୍ମଚାରୀ ଉଭୟଙ୍କୁ ମାଟି ପକାଇ ଉଦ୍ଧାର କରିଛି। ଗତକାଲି ବିଳମ୍ବିତ ରାତିରେ ଏହି ରାସ୍ତା ଦେଇ ଏକ ହାତୀ ପଲ ଯାଉଥିବା ବେଳେ ଅସାବଧାନତାବଶତଃ ମା’ ସହ ଛୁଆ ହାତୀ କେନାଲ ମଧ୍ୟକୁ ଖସି ପଡ଼ିଥିଲା। ହାତୀପଲରେ ଥିବା ଅନ୍ୟ ହାତୀମାନେ ସକାଳ ପର୍ଯ୍ୟନ୍ତ ନିକଟସ୍ଥ ଅଞ୍ଚଳରେ ଜଗି ରହିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ସ୍ଥାନୀୟ ଅଞ୍ଚଳରେ ପହଞ୍ଚିବା ସହ ଏକ ଜେସିବି ସହାୟତାରେ ମାଟି ପକାଇ ଉଭୟ ମା’ଓ ଛୁଆ ହାତୀକୁ ଉଦ୍ଧାର କରିଥିଲେ। ପରେ ଉଭୟ ମା’ଛୁଆ ସୁରକ୍ଷିତ ଭାବରେ ନିକଟସ୍ଥ ଜଙ୍ଗଲକୁ ପଳାଇଯାଇଛନ୍ତି।