କେନ୍ଦୁଝର/ଆନନ୍ଦପୁର, ୧୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ ଅର୍ଜୁନବଣିଆ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ପ୍ଲାଷ୍ଟିକ୍ ଖେଳଣା ଗିଳି ଦେବାରୁ ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ଗଁାର ମନୁ ନାଇକଙ୍କ ପୁଅ ସନୁ(୪)। ସନୁଙ୍କ ବଡ଼ ମା’ ସୁକାନ୍ତି ନାଇକଙ୍କ କହିବା ଅନୁଯାୟୀ, ସକାଳ ପ୍ରାୟ ୯ଟା ବେଳେ ଘରେ ଏକ ପ୍ଲାଷ୍ଟିକ ପେଁକାଳି ଧରି ସନୁ ଖେଳୁଥିଲେ। କିଛି ସମୟ ପରେ ତାଙ୍କ ମା’ ଆସି ସନୁ ଅଚେତ ହୋଇ ପଡ଼ିଥିବା ଦେଖିଥିଲେ। ତାଙ୍କୁ ତୁରନ୍ତ ଆନନ୍ଦପୁର ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ସନୁଙ୍କୁ ମୃତ ଘୋଷଣା କରିଥିଲେ। ପ୍ଲାଷ୍ଟିକ ଖେଳଣା ଗିଳି ଦେଇଥିବାରୁ ଶ୍ୱାସରୁଦ୍ଧ ହୋଇ ସନୁର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ଏ ନେଇ ଘସିପୁରା ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୪/୨୧) ରୁଜୁ ହୋଇଥିବା ଏସ୍ଆଇ ମନୋରଞ୍ଜନ ବିଶି କହିଛନ୍ତି।