ନାଳରେ ବୁଡ଼ି ଶିଶୁପୁତ୍ରର ଜୀବନ ଗଲା

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଶୁଆକାଟି ମୁଣ୍ତାସାହିର ଲିଟୁ ମୁଣ୍ତାଙ୍କ ଏକମାତ୍ର ପୁଅ ବାଦଲ(୪)ର ନାଳରେ ବୁଡ଼ି ମୃତ୍ୟୁ ହୋଇଛି। ଶନିବାର ଜେଜେଙ୍କ ସହିତ ବାଦଲ ଅପରାହ୍ନ ୩ଟା ବେଳେ ନିକଟସ୍ଥ ନାଳକୁ ଯାଇଥିବା ବେଳେ ପାଣିରେ ବୁଡିଯାଇଥିଲା। ଜେଜେ ନାତିକୁ ନ ପାଇ ଘରକୁ ଚାଲିଆସିଥିଲେ। ପରେ ସ୍ଥାନୀୟ ଯୁବକ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ବାଦଲ ପାଣିରେ ଭାସୁଥିବା ଦେଖି ଉଦ୍ଧାର କରିଥିଲେ। ତୁରନ୍ତ ୧୦୮ ଯୋଗେ ବାଦଲକୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ବାଦଲକୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।