ଷ୍ଟ୍ରଙ୍ଗ୍‌ରୁମ୍‌ ବାହାରେ ପଡ଼ିଛି ଭୋଟ୍‌ କାଗଜ, ଫଳାଫଳକୁ ନେଇ ଆଶଙ୍କାରେ ଜନସାଧାରଣ

କେନ୍ଦ୍ରାପଡ଼ା ଅଫିସ,୨୫ା୨: କେନ୍ଦ୍ରାପଡ଼ା ବ୍ଲକର ଷ୍ଟ୍ରଙ୍ଗରୁମ୍‌ ବାହାରେ ଭୋଟ୍‌ କାଗଜ ପଡ଼ିଛି। ଶୁକ୍ରବାର ଏପରି ଘଟଣା କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ ହୋଇଥିବା ବ୍ଲକର ଷ୍ଟ୍ରଙ୍ଗରୁମ ନିକଟରେ ଦେଖିବାକୁ ମିଳିଛି। ଫଳରେ ଚଳିତ ନିର୍ବାଚନ ଫଳାଫଳକୁ ନେଇ ସ୍ଥାନୀୟ ଜନସାଧାରଣ ଆଶଙ୍କା ପ୍ରକଟ କରିଛନ୍ତି। ଏହି ବ୍ଲକ ଅଞ୍ଚଳର ନିର୍ବାଚନ ଗତ ୨୨ ତାରିଖରେ ସରିଛି। ଭୋଟଗ୍ରହଣ ପରେ କାଗଜପତ୍ର ଉକ୍ତ ଷ୍ଟ୍ରଙ୍ଗରୁମରେ ରହିଛି। ତେବେ ଆଜି ସକାଳେ ଏହି ବ୍ଲକର କଂସାର ଓ କପାଳେଶ୍ୱର ପଞ୍ଚାୟତର କେତେକ ଭୋଟ୍‌ କାଗଜ ବାହାରେ ପଡ଼ିଥିବା ଦେଖି ହୋ-ହଲ୍ଲା ହୋଇଥିଲା।

ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି, ଘଟଣା ସମ୍ପର୍କରେ ତଦନ୍ତ ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଡିଓ ବନ୍ଦନା ଖଟୁଆ କହିଛନ୍ତି, ଏବେ ଷ୍ଟ୍ରଙ୍ଗରୁମ୍‌ରେ ତାଲା ପଡ଼ିଛି। ଏହା ସିସିଟିଭି ଅଧୀନରେ ଅଛି। ଆସନ୍ତାକାଲି ଅର୍ଥାତ୍‌ ୨୬ରେ ଷ୍ଟ୍ରଙ୍ଗରୁମ୍‌ ଭୋଟ୍‌ ଗଣତି ପାଇଁ ଖୋଲାଗଲେ ବାହାରେ ପଡ଼ିଥିବା ଭୋଟ କାଗଜର ସିରିଏଲ ମିଳାଯିବ। ବାହାରେ ପଡ଼ିଥିବା ସମସ୍ତ ଭୋଟ୍‌ କାଗଜ ସଂଗ୍ରହ କରାଯାଉଥିବା ବିଡିଓ ସୂଚନା ଦେଇଛନ୍ତି।

Share