ଜଳେଶ୍ୱର, ୩୦ା୧(ଡି.ଏନ.ଏ.) ଘରୁ ପଦାକୁ ଗୋଡ଼ କାଢ଼ିଲେ ପାରି ହେବାକୁ ପଡ଼େ ଏକ ଲମ୍ବା ନାଳ। ଦୈନନ୍ଦିନ ବିଲକାମ, ସ୍କୁଲ, ଅଙ୍ଗନୱାଡ଼ି, ବଜାରକୁ ଗଲେ ଏହି ନାଳ ପାରି ହେବାକୁ ପଡ଼େ। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ଖାଲିନା ପଞ୍ଚାୟତ ଇକଡ଼ା ଗାଁର ହରିଜନ ସାହିର ଲୋକମାନେ କାହିଁ କେଉଁକାଳରୁ ପ୍ରାୟ ୨୦୦ ଫୁଟ ଲମ୍ବର ନାଳ ପାରି ହେବାକୁ ୨ଖଣ୍ଡ ବାଉଁଶ ଥିଲା ଏକମାତ୍ର ଭରସା। ଏହି ସାହିରେ ପ୍ରାୟ ୧୪/୧୫ ହରିଜନ ପରିବାର ବାସ କରୁଥିବା ବେଳେ ନିକଟରେ ରହିଥିବା ଏକ କଂକ୍ରିଟ ରାସ୍ତାକୁ ଯାତାୟାତ ଲାଗି ହଇରାଣ ହୋଇ ଆସୁଥିଲେ। ପ୍ରଶାସନ ଓ ଲୋକପ୍ରତିନିଧିଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏହା ସଫଳ ହୋଇପାରି ନ ଥିଲା। ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରସାରଣ ହେବା ପରେ ଦିଲ୍ଲୀର ଗୁଞ୍ଜ ନାମକ ଏକ ବେସରକାରୀ ସଂସ୍ଥା ଘଟଣାସ୍ଥଳ ବୁଲି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିଥିଲା। ରୋଗୀ କିମ୍ବା ପ୍ରସୂତିଟିଏ ଡାକ୍ତରଖାନା ଯିବା ସମ୍ଭବ ହେଉ ନ ଥିବାରୁ ସଂସ୍ଥା ନିଜସ୍ବ ପାଣ୍ଠିରେ ସ୍ଥାନୀୟ ସ୍ପର୍ଶ ସଂସ୍ଥା ସହାୟତାରେ ଏକ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ ଆରମ୍ଭ କରିଥିଲା। ଶନିବାର ଏହି ପୋଲକୁ ଗୁଞ୍ଜ ସଂସ୍ଥାର ଓଡିଶା ମୁଖ୍ୟ ସୁରେଶ କୁମାର ଉଦ୍ଘାଟନ କରି ଲୋକଙ୍କ ମୌଳିକ ସମସ୍ୟା ଦୂର କରିବାରେ ଏହା ସହାୟକ ହେବ ବୋଲି କହିଥିଲେ। ଖବରଦାତା ଦିଲୀପ କୁମାର ଦାସ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀନବନ୍ଧୁ ପ୍ରଧାନ, ବିରେନ କୁମାର ଦେ, ଅଭୟ କୁମାର ଦେ, ଦେବାଶିଷ ପାଢୀ, ପ୍ରଶାନ୍ତ ଧଳ, ସଞ୍ଜୟ ଧଳ, ଆଇନ୍ଜୀବୀ ଅଜିତ୍ କୁମାର ସୁର, ଅରୁଣ ସୁର, ରାଖାଲ ବେହେରା, ଅଧ୍ୟାପକ ପ୍ରଶାନ୍ତ ଧଳ, ଛାତ୍ରୀ ଚୁନି ଭୂୟଁା, ନୟନ କୁମାର ପାଢ଼ି ପ୍ରମୁଖ ଉପସ୍ଥିତ ଥିଲେ ା