ବାଲିମେଳା,୨୪ା୪(ଡ଼ି.ଏନ୍.ଏ.): ଦିନକୁ ଦିନ ବୁଡିବାକୁ ବସିଲାଣି ବାଉଁଶ ଶିଳ୍ପ। ଜଙ୍ଗଲକ୍ଷୟ ଓ ବାଉଁଶରେ ପ୍ରସ୍ତୁତ ସମଗ୍ରୀର ଚାହିଦା କମୁଥିବାରୁ ଏହି ଶିଳ୍ପକୁ ବୃତ୍ତି କରି ପରିବାର ଚଳାଉଥିବା ଲୋକେ ହତାଶ ହୋଇ ଦାଦନ ଖଟିବାକୁ ଅନ୍ୟତ୍ର ଯିବା ପାଇଁ ବାଧ୍ୟ ହେଉଛନ୍ତି। ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଓ ବାଲିମେଳା ଅଞ୍ଚଳରେ ବିଶେଷକରି ବାଉଁଶ ଶିଳ୍ପ ପାଇଁ ପ୍ରୋତ୍ସାହନ ମିଳୁ ନ ଥିବାରୁ କାରିଗରମାନେ ନିରୁପାୟ ହୋଇ ଏହି ବୃତ୍ତିରୁ ମୁହଁ ଫେରାଉଛନ୍ତି । ତଥାପି ବହୁ ସମସ୍ୟାର ସମ୍ମୁଖୀନ ହୋଇ ଏବେ ବି କେତେଜଣ ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି ।
ପୂର୍ବରୁ ଜିଲାର ବିଭିନ୍ନ ଜଙ୍ଗଲରେ ଯଥେଷ୍ଟ ପରିମାଣର ବାଉଁଶ ମିଳୁଥିଲା। କୋରୁକୋଣ୍ଡା ବ୍ଲକ ଅଞ୍ଚଳରୁ ବହୁ ପରିମାଣରେ ବାଉଁଶ ମିଳୁଥିଲା । କାଗଜ ଶିଳ୍ପ ପାଇଁ ଏଠାରୁ ପ୍ରତିଦିନ ଟ୍ରକ ଟ୍ରକ ବାଉଁଶ ଜୟପୁରସ୍ଥିତ ପେପର ମିଲ, ରାଜମେନ୍ଦ୍ରୀ ପେପର ମିଲ ଓ ରାୟଗଡା ଜେକେ କାଗଜ କଳକୁ ବାଉଁଶ ଯାଉଥିଲା। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ସେଥିରେ ବହୁ ସାମଗ୍ରୀ ପ୍ରସ୍ତୁତ କରୁଥିଲେ। ବାଉଁଶ ପାତିଆରେ ତିଆରି ପାଛିଆ, କୁଲା, ଚାଙ୍ଗୁଡ଼ି, ବିଞ୍ଚଣା, ଝୁଡ଼ି, ଡାଲା ଆଦିର ବହୁତ ଚାହିଦା ରହିଥିଲା। ମେଦ୍ରୀ ଓ ଆଦିବାସୀ ପରିବାରର ଲୋକେ ଏହାକୁ ବୃତ୍ତି କରି ଚଳୁଥିଲେ। ବର୍ତ୍ତମାନ ଏହି ଅଞ୍ଚଳରୁ ବାଉଁଶ ଜଙ୍ଗଲ ଲୋପ ପାଇବାରେ ଲାଗିଛି । ବାଉଁଶ ଗଛର ଯତ୍ନ ନ ନେବା, ଗଛଗୁଡିକରେ ଫୁଲ ହୋଇ ମରିଯିବା, ଆବଶ୍ୟକ ଠାରୁ ଅଧିକ ବାଉଁଶ ଗୃହ ନିର୍ମାଣରେ ବ୍ୟବହାର କରିବା, ବାଉଁଶ ଝାଟି ଆଣି ଘର ଚାରିପଟେ ବାଡ଼ ବନ୍ଧା ଯାଉଥିବା ଯୋଗୁ ଜଙ୍ଗଲରେ ଏହାର ପରିମାଣ ହ୍ରାସ ପାଇବାରେ ଲାଗିଛି। ବର୍ଷାଦିନେ ବିଭିନ୍ନ ଅଞ୍ଚଳରେ ବାଉଁଶ ଗଜା (କରଡି)ସଂଗ୍ରହ ବୃଦ୍ଧି ପାଉଥିବାରୁ ବାଉଁଶ ଜଙ୍ଗଲ ନ ବଢ଼ିବାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଏବେ ଅଞ୍ଚଳରେ ବାଉଁଶ କମୁଥିବାରୁ ଲୋକେ ଆଉ ସାମଗ୍ରୀ ପ୍ରସ୍ତୁତିକୁ ବୃତ୍ତି କରି ପାରୁନାହାନ୍ତି । ଯାହା ଫଳରେ ବାଉଁଶ କାରିଗରଙ୍କ ପରିବାର ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନେକ ଏଥିରୁ ମୁହଁ ଫେରାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ଜଣାପଡିଛି । ଏମାନେ ପୂର୍ବରୁ ବାଉଁଶରେ ତିଆରି ବିଭିନ୍ନ ସାମଗ୍ରୀକ ବାଲିମେଳା, କୋରୁକୋଣ୍ଡା, ସୋର୍ଲକୋଣ୍ଡା, ତାରଲାକୋଟା, କାମ୍ବେଡା ଆଦି ବିଭିନ୍ନ ସାପ୍ତାହିକ ହାଟ ଓ ବଜାରରର ବିକ୍ରିକରି ପରିବାର ଚଳାଉଥିଲେ । ଏ ଦିଗରେ କୌଣସି ସରକାରୀ ପ୍ରୋତ୍ସାହନ ମିଳୁ ନ ଥିବା କେତେଜଣ କାରିଗର କହିଛନ୍ତି। ସରକାର ଆବଶ୍ୟକ ବାଉଁଶ ଯୋଗାଇ ଦେଲେ କିମ୍ବା ପାଖ ଅଞ୍ଚଳରେ ବାଉଁଶ ଜଙ୍ଗଲ ସୃଷ୍ଟି କଲେ ସେମାନେ କୌଳିକ ବୃତ୍ତିକୁ ବଞ୍ଚାଇ ରଖି ପାରନ୍ତେ ବୋଲି କହିଛନ୍ତି । ଜିଲା ପ୍ରଶାସନ ଅଞ୍ଚଳରେ ଥିବା ସମସ୍ତ ବାଉଁଶ କାରିଗରଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ସେମାନେ ନିବେଦନ କରିଛନ୍ତି ।