ବମିଖାଲ ଓଭର ବ୍ରିଜ୍‌ ଭୁଶୁଡ଼ିବା ଘଟଣା: କଳାତାଲିକାଭୁକ୍ତ ରାୟକୁ କୋହଳ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୨: ୨୦୧୭ ସେପ୍ଟେମ୍ବର ୧୦ରେ ଭୁଶୁଡ଼ି ପଡ଼ିଥିବା ଭୁବନେଶ୍ୱର ବମିଖାଲ ଓଭର ବ୍ରିଜ୍‌ର ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନ୍‌ପ୍ରା ପ୍ରୋଜେକ୍ଟକୁ ସୁପ୍ରିମକୋର୍ଟରୁ ଗୁରୁବାର ଆଶ୍ୱସ୍ଥି ମିଳିଛି। ଏହି ଘଟଣାରେ ଓଡ଼ିଶା ହାଇକୋର୍ଟ ନିର୍ମାଣକାରୀ ସଂସ୍ଥାକୁ ସ୍ଥାୟୀ କଳା ତାଲିକାଭୁକ୍ତ ଘୋଷଣା କରିଥିବା ରାୟକୁ ସୁପ୍ରିମକୋର୍ଟ କୋହଳ କରିଛନ୍ତି। ହାଇକୋର୍ଟ ୨୦୧୭ ଡିସେମ୍ବର ୧୨ରେ ପଣ୍ଡା ଇନ୍‌ଫ୍ରା କମ୍ପାନୀକୁ ସ୍ଥାୟୀ କଳା ତାଲିକାଭୁକ୍ତ କରିଥିବାବେଳେ ଗୁରୁବାର ବିଚାରପତି ଏମ୍‌.ଆର୍‌, ଶାହା ଏବଂ ବି.ଭି ନାଗରତ୍ନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାକୁ ଅତ୍ୟଧିକ କଠୋର ବୋଲି ବିବେଚନା କହିବା ସହ ୫ବର୍ଷକୁ ସୀମିତ କରିଛନ୍ତି। ଏଥିସହିତ ୫ବର୍ଷିଆ କଳାତାଲିକା ଭୁକ୍ତ ଆଦେଶ ଦିନଠାରୁ ହିସାବ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେବା ସହ ମାମଲାର ବିଚାର ଶେଷ କରିଛନ୍ତି।
ଖଣ୍ଡପୀଠ କହିଛନ୍ତି ଯେ, ନିର୍ମାଣକାରୀ ସଂସ୍ଥାକୁ କଳାତାଲିକାଭୁକ୍ତ କରିବା ସମୟରେ ହାଇକୋର୍ଟ ଘଟଣାର ଗୁରୁତ୍ୱକୁ ଗମ୍ଭୀରତାର ସହ ନେଇ ନ ଥିଲେ। କଣ୍ଟ୍ରାକ୍ଟରଙ୍କ ଅବହେଳା ଯୋଗୁ ୧୦ମିଟର ଉଚ୍ଚତାର କଂକ୍ରିଟ ସ୍ଲାବ ଖସିପଡ଼ି ଜଣଙ୍କ ପ୍ରାଣହାନୀ ଘଟିବା ସହ ୧୧ଜଣ ଆହତ ହୋଇଥିଲେ। ନିର୍ମାଣବେଳେ ସୁରକ୍ଷା ଦୃଷ୍ଟିରୁ ଜରୁରୀ ପଦକ୍ଷେପ ନିଆଯାଇ ନ ଥିଲା। ତେଣୁ ହାଇକୋର୍ଟ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ କମ୍ପାନୀକୁ କଳାତାଲିକାଭୁକ୍ତ କରିଥିଲେ।

Share