ଏହି ଦେଶରେ ଟୁଇଟର ଉପରୁ ହଟିଲା ପ୍ରତିବନ୍ଧକ

ଅବୁଜା,୧୩ା୧: ଦେଶରେ ୨୦ କୋଟିରୁ ଅଧିକ ଲୋକ ସୋସିଆଲ ମିଡିଆ ନେଟଓ୍ବାର୍କରୁ ବାହାର ହେବାର ସାତ ମାସ ପରେ ଟୁଇଟରରେ ଏହି ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି ନାଇଜେରିଆ ସରକାର।

ଦେଶର ଜାତୀୟ ସୂଚନା ପ୍ରଯୁକ୍ତିବିଦ୍ୟା ବିକାଶ ଏଜେନ୍ସିର ମହାନିର୍ଦ୍ଦେଶକ କାଶିଫୁ ଇନଓ୍ବା ଅବଦୁଲ୍ଲାଙ୍କ ଅନୁଯାୟୀ, ନାଇଜେରିଆର ରାଷ୍ଟ୍ରପତି ମହମ୍ମଦ ବୁହାରୀ ଗୁରୁବାର ଦେଶରେ ଟୁଇଟର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅବଦୁଲ୍ଲା କହିଛନ୍ତି, ନାଇଜେରିଆରେ ଏକ କାର୍ଯ୍ୟାଳୟ ଖୋଲିବା ସହିତ କିଛି ସର୍ତ୍ତ ପୂରଣ କରିବାକୁ ଟୁଇଟର ରାଜି ହେବା ପରେ ହିଁ ଏହି ଦେଶରୁ ପ୍ରତିବନ୍ଧକ ହଟାଯାଇଛି।

‘ନାଇଜେରିଆର କର୍ପୋରେଟ ଅସ୍ତିତ୍ୱକୁ କ୍ଷୁଣ୍ଣ କରିବାରେ ସକ୍ଷମ କାର୍ଯ୍ୟକଳାପ ପାଇଁ ଟୁଇଟର ବାରମ୍ବାର ବ୍ୟବହାର’ ଦର୍ଶାଇ ନାଇଜେରିଆ ଜୁନ୍‌ ୪ରୁ ଟୁଇଟର କାର୍ଯ୍ୟ ବନ୍ଦ ରଖିଥିଲା। ଏହା ପରେ ଅନେକ ସମାଲୋଚନାର ଶିକାର ମଧ୍ୟ ହୋଇଥିଲା।

ଅବଦୁଲ୍ଲା କହିଛନ୍ତି, ୨୦୨୨ର ପ୍ରଥମ ତ୍ରୈମାସିକରେ ନାଇଜେରିଆରେ ପଞ୍ଜୀକରଣ ବ୍ୟତୀତ, ଏକ ନିର୍ଦ୍ଦିଷ୍ଟ ଦେଶ ପ୍ରତିନିଧି ନିଯୁକ୍ତ କରିବା, କର ଦାୟିତ୍ୱବୋଧ, ନାଇଜେରିଆର ନିୟମ, ଜାତୀୟ ସଂସ୍କୃତି ଏବଂ ଇତିହାସକୁ ସମ୍ମାନର ସହ ଗ୍ରହଣ କରିବା ସହିତ ଟୁଇଟର ମଧ୍ୟ ଅନ୍ୟ ସର୍ତ୍ତଗୁଡିକରେ ରାଜି ହୋଇଛି।

Share