ନିଜ କାର୍ଯ୍ୟାଳୟ ସ୍ବଚ୍ଛତାକୁ ନେଇ ପଦାରେ ପଡ଼ିଲେ ବ୍ୟାଙ୍କ କର୍ମଚାରୀ

ଦାରିଙ୍ଗବାଡ଼ି,୧ା୧୦(ଅରୁଣ ସାହୁ):  ଦାରିଙ୍ଗବାଡ଼ିରେ ରବିବାର ସଫେଇ କାର୍ଯ୍ୟ କରାଯିବା ବେଳେ ଦାରିଙ୍ଗବାଡି ବଜାର ଭିତରେ ରହିଥିବା ବ୍ୟାଙ୍କ କାର୍ଯ୍ୟାଳୟ ମଧ୍ୟରେ କୁଢ଼କୁଢ଼ ଅଳିଆ ଆବର୍ଜନା ପଡ଼ିରହିଥିଲା। ସ୍ଥାନୀୟ ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ର, ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଠ ପ୍ରମୁଖ ବଜାର ସଫେଇ କରୁଥିବା ବେଳେ ବ୍ୟାଙ୍କ ପରିସର ମଧ୍ୟରେ କୁଢ଼କୁଢ଼ ଅଳିଆ ଆବର୍ଜନା ଦେଖି ତୁରନ୍ତ ଶାଖା ପରିଚାଳକଙ୍କୁ ପ୍ରଥମେ ନିଜ ପରିସର ସଫେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ବାଧ୍ୟ ହୋଇ ବ୍ୟାଙ୍କ କର୍ତ୍ତୃପକ୍ଷ ସଫେଇ କାର୍ଯ୍ୟରେ ଲାଗିଥିଲେ। ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବ୍ୟାଙ୍କର କିଛି କର୍ମଚାରୀ ସଫେଇ କମ୍‌, ପ୍ରଚାର ପ୍ରସାର ପାଇଁ ଟି-ଶର୍ଟ ବଣ୍ଟନ ଓ ଫଟୋ ଉଠାକୁ ଅଧିକ ଗୁରୁତ୍ୱ ଦେଉଥିବାରୁ ଜାଗୃତି ସମ୍ପାଦକ ବ୍ୟାଙ୍କ କର୍ମଚାରୀଙ୍କ ନିଜ କାର୍ଯ୍ୟାଳୟ ପରିସରକୁ ସଫା ରଖିବାକୁ ପରାମର୍ଶ ଦେଇଥିଲେ। ପରେ ପ୍ରଶାସନ ପକ୍ଷରୁ ବ୍ୟାଙ୍କ କର୍ମଚାରୀ ଓ ଘର ମାଲିକଙ୍କୁ ଡକାଇ ପରିସର ମଧ୍ୟରେ ତୁରନ୍ତ ଗୋଷ୍ଠୀ ଶୌଚାଳୟ କରିବା ସହ ବର୍ଜ୍ୟବସ୍ତୁ ନିୟମିତ ସଫା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଞ୍ଚଳରେ ବୃହତ ବ୍ୟାଙ୍କ ଭାବେ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ରହିଥିବା ବେଳେ ଗୋଷ୍ଠୀ ଶୌଚାଳୟ କିମ୍ବା ବର୍ଜ୍ୟବସ୍ତୁ ପକାଇବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ବ୍ୟାଙ୍କ କର୍ମଚାରୀ ନିଜ କାର୍ଯ୍ୟାଳୟରେ କୁଢ଼କୁଢ଼ ଅଳିଆ ଗଦା ରହିଥିବା ବେଳେ ସେମାନେ ଦାରିଙ୍ଗବାଡ଼ି ସ୍ବାସ୍ଥ୍ୟକେନ୍ଦ୍ର ସଫେଇ ପାଇଁ ଯାଇଥିଲେ। ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି।

Share