ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୨୯।୧(ଡି.ଏନ.ଏ.): ବାଲିଚନ୍ଦ୍ରପୁରସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କରେ ୨୨ ତାରିଖରୁ ତାଲାଝୁଲୁଛି। ବୁଧବାର ବାଲିଚନ୍ଦ୍ରପୁର ପୋଲିସ ଦର୍ପଣ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ତାଲା ଖୋଲିଥିଲାବେଳେ ପୁନଃର୍ବାର ସନ୍ଧ୍ୟାରେ କେତେଜଣ ବ୍ୟକ୍ତି ତାଲା ପକାଇ ଦେଇଛନ୍ତି। ଯାହାକୁ ନେଇ ଗ୍ରାହକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ତାଲା ପକାଇବା ପରେ ସମ୍ପୃକ୍ତ ବ୍ୟକ୍ତି ବାଲିଚନ୍ଦ୍ରପୁର ଥାନରେ ପହଞ୍ଚି ଦାବିପୂରଣ ନ ହେବେ ଯାଏ ତାଲା ଖୋଲିବ ନାହିଁ ବୋଲି ପୋଲିସକୁ ଜଣାଇଥିଲେ। ପରିସ୍ଥିତିକୁ ନଜରରେ ରଖି ପୋଲିସ ପକ୍ଷରୁ ଏକ ପ୍ଲଟୁନ ଫୋର୍ସ ମୁତୟନ କରାଯାଇଛି। ଶୁକ୍ରବାର ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଖୋଲାଯିବ ବୋଲି ଥାନାଧିକାରୀ ସୁକାନ୍ତ ପାତ୍ର ସୂଚନା ଦେଇଛନ୍ତି।
ଭରତପୁର ସେବା ସମବାୟ ସମିତିର ଚାଷୀ ବୀମା ଅର୍ଥ ଦାବି କରି ୭ ମାସ ହେବ ଆନ୍ଦୋଳନ ଚଳାଇଛନ୍ତି। ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ, ଜିଲାପ୍ରଶାସନ ଓ ଚାଷୀ ପ୍ରତିନିଧିଙ୍କ ସହିତ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ ସମସ୍ୟା ସମାଧାନ ହୋଇ ନ ଥିଲା। ଫଳରେ ଚାଷୀ ଠେଙ୍ଗାବାଡି ଧରି ଆସି ବାଲିଚନ୍ଦ୍ରପୁରରେ ବ୍ୟାଙ୍କରେ ତାଲା ପକାଇବା ଘଟଣାକୁ ନେଇ ଆଲୋଡନ ଖେଳିଯାଇଛି। ଏସମ୍ପର୍କରେ ବାଲିଚନ୍ଦ୍ରପୁର ଶାଖା ଭାରପ୍ରାପ୍ତ ମ୍ୟାନେଜର ଦେବେନ୍ଦ୍ର କୁମାର ଦେଓ କହିଛନ୍ତି, ଭରତପୁର ସେବା ସମବାୟ ସମିତି ଅଧୀନରେ ଋଣ ନେଇଥିବା ଚାଷୀଙ୍କ ଋଣ ପ୍ରକ୍ରିୟା ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମେ ୮୮୯ ଚାଷୀଙ୍କୁ ବୀମା ରାଶି ପ୍ରଦାନ କରିବାକୁ ରାଜିଅଛୁ। ୩୯୨ ଚାଷୀଙ୍କ ରେକର୍ଡ ଯାଞ୍ଚ ପରେ ବୀମା ରାଶି ପ୍ରଦାନ କରାଯିବ। ତେବେ ଏହାକୁ କେତେଜଣ ନ ବୁଝି ବାରମ୍ବାର ବ୍ୟାଙ୍କରେ ଝାମଲା ସୃଷ୍ଟି କରିବା ସହିତ ତାଲା ପକାଉଛନ୍ତି। ସେଥିପାଇଁ ଆମ୍ଭେ ଉଚ୍ଚ କୃର୍ତ୍ତୃପକ୍ଷଙ୍କୁ ଜଣାଇଛୁ।