୪ ଦିନ ବ୍ୟାଙ୍କ ବନ୍ଦ ରହିବ

ଭୁବନେଶ୍ୱର,୧୦ା୩: ଗତ ବଜେଟ ସମୟରେ କେନ୍ଦ୍ର ସରକାର କିଛି ଜାତୀୟକରଣ ବ୍ୟାଙ୍କକୁ ଘରୋଇକରଣ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତିର ପ୍ରତିବାଦରେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ (ୟୁଏଫବିୟୁ) ପକ୍ଷରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟର ଡାକରା ଦିଆଯାଇଛି। ୟୁନିୟନର ଏହି ଡାକରା ଫଳରେ ଦେଶରେ ଲଗାତର ୪ ଦିନ ବ୍ୟାଙ୍କ ସେବା ବନ୍ଦ ରହିବ ବୋଲି ଜଣାପଡିଛି।
ୟୁନିୟନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୧୩ ଓ ୧୪ ସାଧାରଣତଃ ୨ୟ ଶନିବାର ଏବଂ ରବିବାର ପଡୁ ଥିବାରୁ ବ୍ୟାଙ୍କ ବନ୍ଦ ରହିବ। ସେହିଭଳି ୟୁନିୟନର ବନ୍ଦ ଡାକରା ଯୋଗୁ ମାର୍ଚ୍ଚ ୧୫ ଓ ୧୬ (ସୋମ ଓ ମଙ୍ଗଳବାର)ରେ ମଧ୍ୟ ବ୍ୟାଙ୍କ ସେବା ବନ୍ଦ ରହିବ।
ଅର୍ଥାତ ଶନି, ରବି, ସୋମ ଓ ମଙ୍ଗଳବାର ଜନସାଧାରଣ ବ୍ୟାଙ୍କ ସେବା ପାଇବାରୁ ବଞ୍ଚତ୍ତ ହେବେ।
ୟୁନିୟନର ଏହି ଡାକରା ଫଳରେ ସାରା ଦେଶରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ଧର୍ମଘଟରେ ସାମିଲ ହେବେ। ଏହାର ପ୍ରଭାବ ଓଡ଼ିଶାର ୫,୫୦୦ ରୁ ଉର୍ଦ୍ଧ୍ୱ ଶାଖାରେ ପଡିବ ବୋଲି ଜଣାପଡିଛି। ସେହିଭଳି ରାଜ୍ୟର ୩୦ହଜାରରୁ ଉର୍ଦ୍ଧ୍ୱ କର୍ମଚାରୀ ଏହି ଧର୍ମଘଟରେ ଯୋଗଦେବେ ବୋଲି ୟୁନିୟନ ପକ୍ଷରୁ କୁହାଯାଇଛି।
ଏହି ପରିପ୍ରେକ୍ଷୀରେ ୟୁଏଫବିୟୁ ଓଡ଼ିଶା ଶାଖା ପକ୍ଷରୁ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ଶାଖାର ଆବାହକ ରଘୁନାଥ ପ୍ରସାଦ ଦାସ ଅଧ୍ୟକ୍ଷତା କରି ବନ୍ଦ ଡାକରା ସମ୍ପର୍କରେ ବିସ୍ତୁତ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଭାରତୀୟ ବ୍ୟାଙ୍କ ଅଫିସର୍ସ ମହାସଂଘର ଓଡ଼ିଶା ସଭାପତି ଦାମୋଦର ନନ୍ଦ, ‘ଏଆଇବିଇଏ’ର ସଞ୍ଜୀବ ପତି, ‘ବିଇଏଫଆଇ’ର ପ୍ରକାଶ ରାୟ ଏବଂ ‘ଏଆଇବିଓଏ’ର ଅଜୟ ରାଉତରାୟ ପ୍ରମୁଖ ଏହି ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ପ୍ରସ୍ତାବକୁ ଦୃଢ ବିରୋଧ କରିଥିଲେ। ଦେଶ ଅର୍ଥନୀତିରେ ଜାତୀୟକରଣ ବ୍ୟାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। ସାଧାରଣ ଜନତାଙ୍କ ସ୍ବାର୍ଥ ଦୃଷ୍ଟିରୁ ସରକାରଙ୍କ ଏହି ଜନବିରୋଧୀ ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ବନ୍ଦକୁ ସଫଳ କରିବା ପାଇଁ ଓଡ଼ିଶାର ସମସ୍ତ ବ୍ୟାଙ୍କର କର୍ମଚାରୀ ସହଯୋଗ ପ୍ରଦାନ କରିବେ ବୋଲି ୟୁନିୟନ ପକ୍ଷରୁ କୁହାଯାଇଛି।

Share