ସର୍ବଭାରତୀୟ ସ୍ତରରେ ଗୌରବ ଆଣିଲେ ବରଗଡ଼ ଝିଅ

ବରଗଡ଼ ଅଫିସ, ୨୮।୧୦: ବରଗଡ଼ର ଝିଅ ନବ୍ୟା ନବେଲି ଆଚାର୍ଯ୍ୟ ମୁମ୍ବାଇସ୍ଥିତ ଭାବା ଏଟମିକ ରିସର୍ଚ୍ଚ ପରିସରରେ ଚାଲିଥିବା ସର୍ବଭାରତୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେ ଏହି ପ୍ରତିଯୋଗିତାରେ ସଫଳତା ଅର୍ଜନ କରି ୨୫ ହଜାର ଟଙ୍କା ପୁରସ୍କାର ରାଶି ପାଇଛନ୍ତି। ଭାରତ ସରକାରଙ୍କ ଆଣବିକ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ୩୪ତମ ସର୍ବଭାରତୀୟ ପ୍ରବନ୍ଧ ପ୍ରତିଯୋଗିତାରେ ସେ ପ୍ରଥମ ୧୦ ଜଣରେ ନିଜର ସ୍ଥାନ ବଜାୟ ରଖିବା ପରେ ମୁମ୍ବାଇରେ ଥିବା ଭାବା ଆଣବିକ ପ୍ରତିଷ୍ଠାନରେ ନ୍ୟୁକ୍ଲିୟର ପାୱାର ସିକିଓର୍ଡ ଏନର୍ଜି ସୋର୍ସ ଟୁୱାର୍ଡସ ଆତ୍ମର୍ନିଭର ଭାରତ” ଶୀର୍ଷକରେ ନିଜର ମୌଖିକ ଉପସ୍ଥାପନା କରି ଏଭଳି ସଫଳତା ପାଇଛନ୍ତି। ବର୍ତ୍ତମାନ ସେ ଦିଲ୍ଲୀ ବିଶବିଦ୍ୟାଳୟ ଅଧୀନ କିରୋରି ମଲ୍ଲ କଲେଜରେ ଯୁକ୍ତ ତିନି ପଦାର୍ଥ ବିଜ୍ଞାନ ବିଭାଗର ଦିତୀୟ ବର୍ଷର ଛାତ୍ରୀ ଅଟନ୍ତି । ବରଗଡ଼ ଶିବାନନ୍ଦ ନଗର ନିବାସୀ ପ୍ରକାଶ ଆଚାର୍ଯ୍ୟଙ୍କ ଝିଅ ତଥା ବରଗଡ଼ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଛାତ୍ରୀ ଥିବା ନବ୍ୟା ନବେଲି ୨୦୧୮ ମସିହାରେ ମାଟ୍ରିକ ପରୀକ୍ଷା ରରେ ୯୫.୫ ପ୍ରତିଶତ ମାର୍କ ରଖି ସମଗ୍ର ଜିଲାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି ୨୦୨୦ରେ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ୯୯ ପ୍ରତିଶତ ମାର୍କ ରଖି ଅଞ୍ଚଳ ପାଇଁ ସୁନାମ ଆଣିଥିଲେ । ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବାପାଇଁ ସେ ଲକ୍ଷ୍ୟ ରଖିଥିବା ନବ୍ୟା ନବେଲି କହିଛନ୍ତି।

Share