ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାସଂଘର କର୍ମକର୍ତ୍ତା ପକ୍ଷରୁ ଏକ ୪ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଦଳ ରବିବାର ମାଣ୍ଡିପଙ୍କା ଗସ୍ତ କରିଛନ୍ତି। ସେଠାରେ ପହଞ୍ଚି ୨ ମୃତକଙ୍କ ପରିବାର ଓ କଟକ ଓ ବ୍ରହ୍ମପୁରରେ ଚିକିତ୍ସାଧୀନ ଥିବା ଗୁରୁତରଙ୍କ ପରିବାର ଲୋକଙ୍କୁ ଭେଟି ସତ୍ୟ ଅନୁସନ୍ଧାନ କରିଛନ୍ତି। ଏଥିସହ କେଉଁ ପରିସ୍ଥିତିରେ ଆମ୍ବଟାକୁଆ ଖାଇଛନ୍ତି କିଭଳି ତାହା ପ୍ରସ୍ତୁତ ହୋଇଥିଲା ଓ କେତେ ପରିବାର ସହ କେତେ ସଂଖ୍ୟକ ଲୋକ ଖାଇଥିଲେ ଏବଂ ସେମାନଙ୍କ ପରିସ୍ଥିତି କିଭଳି ରହିଛି ସେ ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଥିଲେ। ଏଥିସହ ମାଣ୍ଡିପଙ୍କା ଲୋକଙ୍କ ମୌଳିକ ସୁବିଧା କ’ଣ ସବୁ ଆବଶ୍ୟକ ରହିଛି ଲୋକଙ୍କ ରୋଜଗାର କ’ଣ ରହିଛି ଏସବୁ ସତ୍ୟ ଅନୁସନ୍ଧାନ କରି ଫେରିଛନ୍ତି।
ମହାସଂଘ ପକ୍ଷରୁ କୁହାଯାଇଛି, ସମସ୍ତ ଘଟଣା ଉପରେ ଦଳ ସତ୍ୟର ସନ୍ଧାନ କରିଛି। ଯାହାକି ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ଦିଆଯିବା ସହ ମହାସଂଘ ସିଧା ଜିଲାପାଳଙ୍କ ସହ ଆଲୋଚନା କରିବ ବୋଲି ମହାସଂଘର ସଦସ୍ୟ ତଥା ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ଜନ ବିକାଶର ସମ୍ପାଦକ ମଦନ ଶୁଆଲସିଂ ପ୍ରମୁଖ କହିଛନ୍ତି। ଏହି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଆମ ଗାଁ ସ୍ବେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ କିଶୋର ବଳିୟାରସିଂ ଏବଂ ସ୍ବାତୀ ଅନୁଷ୍ଠାନର ସଂଯୋଜକ ଦେବାଶିଷ ନାୟକ ପ୍ରମୁଖ ଘଟଣାସ୍ଥଳକୁ ଗସ୍ତ କରିଥିଲେ।