ସଫଳ ଗଣତନ୍ତ୍ରର ଆଧାର

ରୋଧ କରିବା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଅବିଚ୍ଛିନ୍ନ ଅଙ୍ଗ। ଏକଚ୍ଛତ୍ରବାଦୀ ଶାସନରେ ଜଣେ ମଣିଷର ବା ଗୋଟିଏ ନିର୍ଦ୍ଦିଷ୍ଟ ଦଳର ଶାସନ ଚାଲେ। କ୍ଷମତାହୀନ ଦଳ ବାହାରେ ଆଉ କାହାରିକୁ ମୁହଁ ଖୋଲିବାକୁ ଦିଆଯାଏନାହିଁ। ମାତ୍ର ଗଣତନ୍ତ୍ରରେ ଗୋଟିଏ ଦଳ ଶାସନରେ ଥାନ୍ତି, ମାତ୍ର ତା’ ସହିତ ଅନ୍ୟ ଏକାଧିକ ଦଳ ମଧ୍ୟ ଥାନ୍ତି। ସେମାନେ ମଧ୍ୟ ଶାସନରେ ଏକ ଅପରିହାର୍ଯ୍ୟ ଅଙ୍ଗ। ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସଙ୍କ ଭାଷାରେ, ”ସତ୍ୟ କେବଳ ଗୋଟିଏ ବାଦରେ କିମ୍ବା ଆଦର୍ଶରେ ନାହିଁ, ତେଣୁ କୌଣସି ଦଳ କଦାପି ସଂପୂର୍ଣ୍ଣ ସତ୍ୟର ପ୍ରତିନିଧିତ୍ୱ କରିପାରିବ ନାହିଁ। ତାକୁ ଅନ୍ୟମାନଙ୍କ କଥା ଶୁଣିବାକୁ ପଡ଼ିବ ଏବଂ ବିବିଧ ମତର ଏକତ୍ର ସଂଘାତ ଅଥବା ସନ୍ତୁଳନରେ ଯାଇ ଅସଲ ସତ୍ୟଟି ସମ୍ଭବ ହୋଇପାରିବ। ଏହିପରି ଏକ ମୂଳଭୂତ ବିଚାର ଓ ବିବେକ ଉପରେ ଗଣତନ୍ତ୍ର ଆଧାରିତ ହୋଇ ରହିଥାଏ। ତେଣୁ ଏଥିରେ ବିବିଧତାକୁ ସମ୍ମାନ ଦିଆଯାଏ, ଅପର ଆଉ ଜଣକୁ ସମ୍ମାନ ଦିଆଯାଏ; କ୍ଷମତାର ଆସନରେ ବସିଥିବା ମଣିଷମାନେ ଯେ ସଂପୂର୍ଣ୍ଣ ସତ୍ୟର ମୋଟେ ଅଧିକାରୀ ନୁହନ୍ତି, ସେହି କଥାଟିକୁ ସଂପୃକ୍ତ ସମସ୍ତେ ଏକ ମହତ୍ତ୍ୱପୂର୍ଣ୍ଣ ମୂଳକଥା ବୋଲି ସ୍ବୀକାର କରିନେଇଥାନ୍ତି। ଯିଏ ସବୁଥିରୁ ଅଧିକ ବଳୁଆ ହୋଇ ନିର୍ବାଚନର ରଣରେ ବିଜୟୀ ହୋଇ ଶାସନରେ ବସିଛି, କେବଳ ସେଇ ଏକମାତ୍ର ସର୍ବେସର୍ବା ନୁହେଁ-ଅନ୍ୟ ତଥାକଥିତ ଅଳ୍ପବଳମାନଙ୍କର ମଧ୍ୟ କିଛି କରିବାକୁ ରହିଛି, ସେହି କଥାକୁ ଅଲବତ ସମ୍ମାନ ଓ ସ୍ବୀକୃତି ଦେବାକୁ ପଡ଼ିବ, ଗଣତନ୍ତ୍ରରେ ଏହାକୁ ହିଁ ସର୍ବପ୍ରଥମ ଔଚିତ୍ୟ ଓ ଭଦ୍ରତା ବୋଲି ସ୍ବୀକାର କରାଯାଇଥାଏ।“ ମାତ୍ର ଅପରପକ୍ଷରେ ଯେଉଁମାନେ ବିରୋଧ କରନ୍ତି ସେମାନଙ୍କ ବିରୋଧ ପଛରେ ଔଚିତ୍ୟ ଓ ବିବେକ ଚାଳିତ ବିଚାରବୋଧ ରହିଥିବା ଦରକାର। କେବଳ ବିରୋଧ କରିବା ପାଇଁ ବିରୋଧ କରିବା ସେମାନଙ୍କ ନୀତି ହେବା ଠିକ୍‌ ନୁହେଁ।
ସଂପ୍ରତି ଯେଉଁ ଦଳ ବା ଦଳଗୁଡ଼ିକ ସଂଖ୍ୟାଗରିଷ୍ଠତା ହାସଲ କରି ନ ପାରି ସରକାର ଗଢ଼ିପାରୁ ନାହାନ୍ତି ସେହି ଦଳକୁ ବିରୋଧୀଦଳ କୁହାଯାଉଛି। ଏବେ ସାଧାରଣ ଲୋକ ବିରୋଧୀ ଦଳ କହିଲେ ବୁଝନ୍ତି- ଯେଉଁମାନେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ବିରୋଧ କରନ୍ତି, ମାଇକ୍‌ ଭାଙ୍ଗନ୍ତି, ଚୌକି ଫୋପାଡ଼ନ୍ତି, ବିଲ୍‌ ଚିରନ୍ତି, ବାଚସ୍ପତିଙ୍କ ନିର୍ଦ୍ଦେଶ ମାନନ୍ତି ନାହିଁ, ତାଙ୍କ ଟେବୁଲ ଉପରକୁ ଚଢ଼ନ୍ତି, ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ କରନ୍ତି, ଝାଞ୍ଜ ବଜାନ୍ତି, ପ୍ଲାକାର୍ଡ଼ ଦେଖାନ୍ତି ଓ ବିଧାନସଭା ବା ସଂସଦକୁ ଅଚଳ କରନ୍ତି। ଗଣତନ୍ତ୍ରରେ ସଂଖ୍ୟାଲଘୁ ଦଳର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ସରକାରୀ କଳ ଦ୍ୱାରା ଯଦି କ୍ଷମତାର ଅପବ୍ୟବହାର ହେଉଥାଏ ତାକୁ ରୋକିବା ହେଉଛି ଏହି ଦଳର କାମ। ପୁନଶ୍ଚ ଗଠନମୂଳକ ପ୍ରସ୍ତାବ ଦେବା ମଧ୍ୟ ଏହାର ସାମ୍ବିଧାନିକ କର୍ତ୍ତବ୍ୟ ଓ ସରକାରୀ ଦଳ ତାକୁ ସକାରାମତ୍କ ଭାବରେ ଗ୍ରହଣ କରିବା ଉଚିତ। ମାତ୍ର ସଂପ୍ରତି ଭାରତରେ ଉଭୟ ସରକାରୀ ଦଳ ଓ ବିରୋଧୀ ଦଳ ନିଜ ନିଜର ଭୂମିକା ଠିକ୍‌ ଭାବରେ ନିର୍ବାହ କରୁ ନ ଥିବାର ଲକ୍ଷ୍ୟ କରାଯାଉଛି। ପ୍ରତ୍ୟେକ କ୍ଷେତ୍ରରେ ବିରୋଧୀ ଦଳ ସରକାରଙ୍କୁ ବିରୋଧ କରୁଛି ଓ ବିରୋଧୀ ଦଳର ପ୍ରସ୍ତାବକୁ ସରକାରୀ ଦଳ ଗ୍ରହଣ କରୁନାହିଁ। ପରସ୍ପର ପରସ୍ପରକୁ ଶତ୍ରୁ ମଣୁଛନ୍ତି। ସରକାରୀ ଦଳ ଯେ ସର୍ବଦା ଠିକ୍‌ କାର୍ଯ୍ୟ କରୁଥିବ ଏଥିରେ କୌଣସି ନୈଶ୍ଚିତ୍ୟ ନାହିଁ। ମଣିଷ ଓ ପଶୁ ମଧ୍ୟରେ ପାର୍ଥକ୍ୟ ହେଉଛି-ପଶୁ ଭୁଲ୍‌ କରେ, କିନ୍ତୁ ଭୁଲ୍‌କୁ ସଂଶୋଧନ କରିପାରେ ନାହିଁ, କାରଣ ତା’ର ବିଚାରବୋଧ ନାହିଁ।
ମାତ୍ର ମଣିଷ ଭୁଲ୍‌ କଲେ ଓ ତାକୁ ସଂଶୋଧନ କରିପାରେ, କାରଣ ତା’ର ବିଚାରଶକ୍ତି ଅଛି। ଯେତେବେଳେ ସରକାରୀ ଦଳ କିଛି ଭୁଲ୍‌ କରିବସେ, ସେତେବେଳେ ବିରୋଧୀ ଦଳର ବିରୋଧ ସରକାରୀ ଦଳକୁ ତାର ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ସୁଯୋଗ ଦିଏ। ଅନେକ କ୍ଷେତ୍ରରେ ଭୁଲ୍‌ ସଂଶୋଧିତ ହୋଇଯାଏ। ଏହି ପ୍ରସଙ୍ଗରେ ମନେପଡ଼େ ଜଣେ ବିଶିଷ୍ଟ ପ୍ରାଞ୍ଜପୁରୁଷର ବକ୍ତବ୍ୟ:
ଜୀବନ୍ତୁ ମେ ଶତ୍ରୁଗଣାଃ ସଦୈବ
ତେଷାଂ ପ୍ରସାଦାତ୍‌ ସୁବିଚକ୍ଷଣୋଽହଂ
ଯେ ଯେ ଯଥା ମାଂ ପ୍ରତିବାଧୟନ୍ତି
ତେ ତେ ତଥା ମାଂ ପ୍ରତିବୋଧୟନ୍ତି
ଅର୍ଥାତ୍‌ ମୋ ଶତ୍ରୁଗଣ ସର୍ବଦା ବଞ୍ଚତ୍ରହନ୍ତୁ, କାରଣ ତାଙ୍କ ପ୍ରସାଦରୁ ମୁଁ ଆହୁରି ବିଚକ୍ଷଣ ହୋଇପାରୁଛି। ଯଦିଓ ସେମାନେ ମୋତେ ପ୍ରତିରୋଧ କରନ୍ତି, ତଦ୍ଦ୍ବାରା ମୁଁ ଜାଗ୍ରତ ହୁଏ। ନିଜର ଭୁଲ୍‌ ତ୍ରୁଟିକୁ ସୁଧାରିବା ପାଇଁ ସୁଯୋଗ ପାଏ। ଠିକ୍‌ ସେହିପରି ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ୱାସ କରୁଥିବା ବାମଣ୍ଡାର ରାଜା ସୁଢ଼ଳଦେବଙ୍କୁ କେହି ତର୍କରେ ବିରୋଧ କଲେ ସେ କହୁଥିଲେ ”ମୋ ସହିତ ପ୍ରତିପକ୍ଷତା କଲେ ମୁଁ ନୂତନ କିଛି ଶିକ୍ଷା ଲାଭ କରିବାର ସୁଯୋଗ ପାଇବି, ମୋର ରାଜସମ୍ମାନ ସ୍ମରଣ କରି ଯେପରି ମୋର ମତକୁ ନିଜ ମତ ବୋଲି ଗ୍ରହଣ କରିବେ ନାହିଁ। ଆପଣଙ୍କ ସମକକ୍ଷ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରୁଛନ୍ତି ବୋଲି ମନେ କରିବେ। ମୁଁ ଯାହା ଜାଣେ ସେଥିରେ ସମ୍ମତ ହେବା ସହଜ କାର୍ଯ୍ୟ, ମୋର ମୂର୍ଖ ପ୍ରଜା ମଧ୍ୟ ତାହା କରିପାରନ୍ତି, ଆପଣ ଆପଣଙ୍କ ପକ୍ଷ ସମର୍ଥନରେ ପଟୁତା ପ୍ରଦର୍ଶନ କଲେ ହିଁ ମୁଁ ସୁଖୀ ହେବି।“ ଏହି ବକ୍ତବ୍ୟରୁ ସାଂପ୍ରତିକ ସମୟର ସରକାର ଶିକ୍ଷା କରିବା ଉଚିତ ଓ ବିରୋଧୀ ଦଳକୁ ଦମନ ନ କରି ତାଙ୍କ ସ୍ବରକୁ ଏକ ସତର୍କଘଣ୍ଟି ଭାବରେ ଗ୍ରହଣ କରିବା ଉଚିତ। ଏହା ହେଉଛି ଏକ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା।
କାନାଡ଼ା, ଜର୍ମାନୀ ଭଳି କେତେକ ଗଣତାନ୍ତ୍ରିକ ଦେଶରେ ବିରୋଧୀ ଦଳମାନେ ଛାୟା ମନ୍ତ୍ରିମଣ୍ଡଳ ଗଢ଼ନ୍ତି। ଫଳରେ ସଂସଦରେ ଆଲୋଚନା ଗଠନମୂଳକ ହୁଏ। କେତେକ ଦେଶରେ ବିରୋଧୀ ଦଳକୁ ‘ଅପେକ୍ଷିତ ସରକାର’ ବୋଲି କୁହାଯାଏ, କାରଣ ସରକାର କୌଣସି କାରଣରୁ ଅସମର୍ଥ ବା ସଂଖ୍ୟାଲଘୁ ହୋଇଗଲେ ବିରୋଧୀ ଦଳ ସରକାର ଗଢ଼ନ୍ତି। ଏଣୁ ବିଶିଷ୍ଟ ସ୍ତମ୍ଭକାର ଭଗବାନ ପ୍ରକାଶ ଏକ ପ୍ରବନ୍ଧରେ କହିଛନ୍ତି ଗଣତନ୍ତ୍ରରେ ଯେଉଁ ସଂଖ୍ୟାଲଘୁ ଦଳକୁ ବିରୋଧୀ ଦଳ କୁହାଯାଉଛି ତାକୁ ବିରୋଧୀ ଦଳ କୁହା ନ ଯାଇ ବିକଳ୍ପ ଦଳ କୁହାଯିବା ଉଚିତ। ବିରୋଧୀ ଦଳ କହିବା ଦ୍ୱାରା ଦଳର ସଦସ୍ୟ ଧରିନେଉଛନ୍ତି ଯେ ସେମାନଙ୍କ କାମ ହେଉଛି ସବୁବେଳେ ବିରୋଧ କରିବା। ସେମାନେ ଏହି ଭ୍ରାନ୍ତ ଧାରଣାରୁ ମୁକ୍ତ ହେବା ଦରକାର। ସେମାନେ ନିଜକୁ ସରକାରୀ ଦଳର ଏକ ବିକଳ୍ପ ଭାବରେ ପ୍ରତିପାଦିତ କରିବା ଆବଶ୍ୟକ। ସଂସଦୀୟ ଗଣତନ୍ତ୍ରରେ ବିରୋଧୀ ଦଳ ନିଜ ସଂକୁଚିତ ସଂଖ୍ୟାକୁ ନେଇ ବିଚଳିତ ହେବା ଉଚିତ ନୁହେଁ। ସର୍ବଦା ନିଷ୍ପକ୍ଷ ବା ନିରପେକ୍ଷ ମନୋଭାବ ନେଇ ଦେଶର ବୃହତ୍ତର ସ୍ବାର୍ଥ ପାଇଁ କାମ କରିବା ବିରୋଧୀ ଦଳର ସାମ୍ବିଧାନିକ କର୍ତ୍ତବ୍ୟ। ବିଡ଼ମ୍ବନାର ବିଷୟ ଯେ ସଂପ୍ରତି ଭାରତରେ ଉଭୟ ସରକାରୀ ଓ ବିରୋଧୀ ଦଳ ଆଦର୍ଶଚ୍ୟୁତ ହୋଇଯାଇଛନ୍ତି। କଳେ ବଳେ କୌଶଳେ ନିର୍ବାଚନ ଲଢ଼ିବାକୁ ଓ ଜିତିବାକୁ ସେମାନେ ଯେତିକି ଆଗ୍ରହ ପ୍ରକାଶ କରୁଛନ୍ତି ଗଣତାନ୍ତ୍ରିକ ପ୍ରକ୍ରିୟା ଅନୁସରଣ କରିବା ପାଇଁ ସେତିକି ଅନିଚ୍ଛା ପ୍ରକାଶ କରୁଛନ୍ତି। ଏଥିପାଇଁ ଜୟପ୍ରକାଶ ନାରାୟଣ ଏକ ଦଳମୁକ୍ତ ସରକାର ଗଢ଼ିବା ପାଇଁ ଆହ୍ବାନ ଦେଇଥିଲେ। ସବୁ ବର୍ଗର ପ୍ରତିନିଧି ଓ ଅଭିଜ୍ଞ ଲୋକଙ୍କୁ ନେଇ ଏକ ଜାତୀୟ ସରକାର ଗଢ଼ାଯିବା ଉଚିତ ବୋଲି ସେ ମତ ଦେଉଥିଲେ। ଏବେ ମଧ୍ୟ ଛୋଟ ନିଉଏ, ଟୁଭୁଲୁ ଭଳି ଛୋଟ ଦ୍ୱୀପରେ ରାଜନୈତିକ ଦଳବିହୀନ ସରକାର ପ୍ରଚଳିତ ଥିଲେ ହେଁ ଭାରତ ଭଳି ବୃହତ୍‌ ଗଣତନ୍ତ୍ରରେ ଏହା ସଫଳ ହେବା ସମ୍ଭବ ନୁହେଁ। ଏଣୁ ସରକାରୀ ଦଳ ଓ ତଥାକଥିତ ବିରୋଧୀ ଦଳ (ଯାହାକୁ ବିକଳ୍ପ ଦଳ କହିବା ବେଶି ସମୀଚୀନ)ର ସୁସହାବସ୍ଥାନ ହିଁ ସଫଳ ଗଣତନ୍ତ୍ରର ଆଧାର ହୋଇପାରିବ।

ପ୍ରାକ୍ତନ ଅଧ୍ୟକ୍ଷ, ଡି.ଏ.ଭି. ସ୍ବୟଂଶାସିତ କଲେଜ, ଟିଟିଲାଗଡ଼
ମୋ:୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri