ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଚେୟାରମ୍ୟାନ ପଦବୀ ପାଇଁ ହେବାକୁ ଥିବା ନିର୍ବାଚନରେ ଭାରତୀୟ କ୍ରିକେଟ କାଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ଭବତଃ ନ୍ୟୁଜିଲାଣ୍ଡ ପ୍ରାର୍ଥୀ ଗ୍ରେଗ୍ ବ୍ରାକ୍ଲେଙ୍କୁ ସମର୍ଥନ କରିବ। ଗତ ଜୁଲାଇରେ ଭାରତର ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଶେଷ ହେବାପରେ ଏହି ପଦବୀ ଖାଲି ପଡ଼ିଛି। ନିର୍ବାଚନରେ ବାର୍କ୍ଲେଙ୍କ ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ସିଙ୍ଗାପୁରର ଇମ୍ରାନ ଖ୍ବାଜା। ଡିସେମ୍ବର ପ୍ରଥମ ସପ୍ତାହରେ ଭୋଟ ଗ୍ରହଣ ହେବ। ସବୁଠାରୁ ଶକ୍ତିଶାଳୀ ଆଇସିସି ବୋର୍ଡର ୧୬ ସଦସ୍ୟ ସେମାନଙ୍କ ମତ ସାବ୍ୟସ୍ତ କରିବେ। କେତୋଟି ପ୍ରସଙ୍ଗକୁ ନେଇ ଆଇସିସି ଡେପୁଟି ଚେୟାରମ୍ୟାନ ଖ୍ବାଜାଙ୍କୁ ସମର୍ଥନ କରିବ ନାହିଁ ବିସିସିଆଇ। ଆଇସିସି ରାଜସ୍ବର ସିଂହ ଭାଗ ଇଂଲଣ୍ଡ ଭାରତ ଓ ଅଷ୍ଟ୍ରେଲିଆକୁ ଦିଆଯିବା ପ୍ରସ୍ତାବର ପ୍ରତ୍ୟାହାର ପ୍ରସଙ୍ଗରେ ମନୋହରଙ୍କୁ ସମର୍ଥନ କରିଥିଲେ ଖ୍ବାଜା।