ବିଡିଓଙ୍କୁ ବିଧାୟକଙ୍କ ଆକ୍ରମଣ ଅଭିଯୋଗ

ଦେବଗଡ଼, ୧।୫ (ଡି.ଏନ୍‌.ଏ.): ଦେବଗଡ଼ ଜିଲା ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଶନିବାର ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ସମର୍ଥକଙ୍କ ସହିତ ମିଶି ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ବିଡିଓ ଦଳପତି ଗୁରୁତର ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ବିଡିଓ ଦଳପତି ଏନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ବିଧାୟକ ପାଣିଗ୍ରାହୀଙ୍କୁ ତିଲେଇବଣି ବିଡିଓ ଦଳପତି ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ବିଧାୟକ ପାଣିଗ୍ରାହୀ ଅଭିଯୋଗ କରିଥିବା ଜଣାପଡିଛି।
ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୂର୍ବାହ୍ନରେ ବିଡିଓ ଦଳପତି, ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକ, ରାଜସ୍ବ ସୁପରଭାଇଜର ହୃଦାନନ୍ଦ ସାହୁ, ସୁଗୁଡା ରାଜସ୍ବ ନିରୀକ୍ଷକ ଜଲିରାଣୀ ପ୍ରଧାନ ଓ ଛେପିଲିପାଲି ଗ୍ରାମ ପଞ୍ଚାୟତର ଜିଆରଏସ୍‌ ଜଗନ୍ନାଥ ସାହୁଙ୍କ ସହିତ ଯୁଗ୍ମ ତଦନ୍ତ ନିମନ୍ତେ ଛେପିଲିପାଲିି ଗ୍ରାମ ପଞ୍ଚାୟତର ଭାଲିଆଗୁଡି ଗ୍ରାମକୁ ଯାଇଥିଲେ। ତେବେ ପୂର୍ବାହ୍ନ ୧୦ଟା ୩୦ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ତାଙ୍କ ନିକଟକୁ ଏକାଧିକ ଫୋନ ନମ୍ବରରୁ ଲଗାତର ଫୋନ କଲ ଆସିବା ସହ ବିଧାୟକଙ୍କୁ ଦେଖା କରିବାକୁ ବିଡିଓଙ୍କୁ କୁହାଯାଇଥିଲା। ବିଡିଓ ଦଳପତି ତଦନ୍ତ ସାରି ବିଧାୟକଙ୍କୁ ଦେଖା କରିବେ ବୋଲି ଉତ୍ତର ଦେଇଥିଲେ। ଏହାର କିଛି ସମୟ ମଧ୍ୟରେ ବିଧାୟକ ପାଣିଗ୍ରାହୀଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ କର୍ମୀ ସେଠାରେ ପହଞ୍ଚତ୍ ବିଡ଼ିଓଙ୍କୁ ଧକ୍କା ଦେବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏଥିସହ ବିଡିଓଙ୍କୁ ବିଧାୟକଙ୍କ ଗାଡିରେ ଭର୍ତ୍ତିକରି ଉଠାଇ ନେବାକୁ ଉଦ୍ୟମ କରିଥିଲେ। ବିଡିଓଙ୍କୁ ଜାତିଆଣ ଆକ୍ଷେପ କରିବା ସହ ତାଙ୍କୁ ମୁଥ ମାରିବାରୁ ସେ ତଳେ ପଡ଼ିଯାଇଥିଲେ। ସହଯୋଗୀମାନେ ତାଙ୍କୁ ଉଦ୍ଧାର କରିଥିଲେ। ଅନ୍ୟପକ୍ଷରେ ଦେବଗଡ଼ ବିଧାୟକ ପାଣିଗ୍ରାହୀ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ବିଡିଓ ଦଳପତିଙ୍କୁ ଦେଖା କରିବାକୁ ଚାହିଁବାରୁ ତାଙ୍କୁ ବ୍ଲକ କାର୍ଯ୍ୟାଳୟକୁ ଡାକିଥିଲେ। ମାତ୍ର ବିଧାୟକ ସେଠାରେ ପହଞ୍ଚତ୍ବା ବେଳକୁ ବିଡିଓ ଅନୁପସ୍ଥିତ ଥିଲେ। ଦୁଧିଆନାଳି ଗ୍ରାମକୁ ଡାକିଥିଲେ। ବିଧାୟକ ପାଣିଗ୍ରାହୀ ସେଠାରେ ପହଞ୍ଚତ୍ବା ପରେ ବିଡିଓ ସେଠାରେ ନ ଥିଲେ। ବିଧାୟକ ତାଙ୍କୁ ଫୋନ କରିବାରୁ ବିଡିଓ ଦଳପତି କୁଆଡେ ତାଙ୍କୁ ଛେପିଲିପାଲି ଗ୍ରାମ ପଞ୍ଚାୟତର ଭାଲିଆଗୁଡି ଗ୍ରାମକୁ ଡାକିଥିଲେ। ବିଧାୟକ ପାଣିଗ୍ରାହୀ ସେଠାରେ ପହଞ୍ଚତ୍ବା କ୍ଷଣି ବିଡିଓ ଦଳପତି ଉତକ୍ଷିପ୍ତ ହୋଇ ତାଙ୍କୁ କୁଆଡେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ସେହିପରି ଗଲାବେଳେ ବିଡିଓ ଦଳପତି ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ମଧ୍ୟ ଦେବଗଡ ଥାନା ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ସୂଚନା ଯୋଗ୍ୟ ଯେ, ଘଟଣା ପରେ ବିଡିଓ ଦଳପତି ଏନେଇ ଜିଲାପାଳ ଓ ରାଜ୍ୟ ଓଏଏସ୍‌ ସଂଘକୁ ମଧ୍ୟ ଅବଗତ କରିଛନ୍ତି।

Share