ଅନୁଗୋଳ ଅଫିସ,୮।୧୨: ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ଗାଁକୁ ଆଖୁ ଖାଇବାକୁ ଆସି ଏକ ଭାଲୁ କୂଅରେ ଖସି ପଡିଥିଲା । ଗାଁର କିଛି ବ୍ୟକ୍ତି ସେହି ବାଟ ଦେଇ ଯାଉଥିବା ବେଳେ ଗର୍ଜନ ଶୁଣି ଭାଲୁଟିକୁ ଦେଖିଥିଲେ । ଗାଁ ଲୋକେ ସ୍ଥାନୀୟ ଛେଣ୍ଡିପଦା ରେଞ୍ଜ ଅଧିକାରୀଙ୍କୁ ଜଣାଇବା ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା । ତୁରନ୍ତ ବନ ବିଭାଗ କର୍ମଚାରୀ ଏକ ବାଉଁଶକୁ କୂଅ ଭିତରକୁ ପକାଇଥିଲେ । ବାଉଁଶ ସାହାଯ୍ୟରେ ଭାଲୁଟିକୁ କୂଅ ଭିତରୁ ଉଦ୍ଧାର କରାଯାଇଥିବା ବନ ବିଭାଗ ସୂଚନା ଦେଇଛି । ଭାଲୁଟି ନିକଟସ୍ଥ ଜଙ୍ଗଲ ଭିତରକୁ ପଳାଇ ଥିବାବେଳେ ଜଙ୍ଗଲ ବିଭାଗ ନିରୀକ୍ଷଣରେ ରଖିଛି ।