ରାତି ହେଲେ ଗାଁକୁ ଆସୁଛି ଭାଲୁ, ମନ୍ଦିରରେ ପଶିଥିବାବେଳେ ଭିଡିଓ ଭାଇରାଲ

ନବରଙ୍ଗପୁର,୧୫।୧(ଡି.ଏନ୍‌.ଏ.): ଗ୍ରାମ ମନ୍ଦିର ପରିସରରେ ଭାଲୁ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଗ୍ରାମରେ ଥିବା ହନୁମାନ ମନ୍ଦିର ଓ ଶିବ ମନ୍ଦିର ପରିସରରେ। ମା’ ସହ ଦୁଇ ଛୁଆ ଭାଲୁ ବୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ପ୍ରତ୍ୟହ ସା ବେଳେ ମା’ ଭାଲୁ ଦୁଇ ଛୁଆଙ୍କୁ ଧରି ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ଚାଲି ଆସୁଛି। ଶୁକ୍ରବାର ଖାଦ୍ୟ ପାଇଁ ପ୍ରଥମେ ଗାଁ ଉପକଣ୍ଠରେ ଥିବା ହନୁମାନ ଓ ଶିବ ମନ୍ଦିର ପରିସର ଭିତରକୁ ପ୍ରବେଶ କରୁଥିବା ଦୃଶ୍ୟକୁ ଗ୍ରାମର କିଛି ଯୁବକ ନିଜ ମୋବାଇଲରେ କଏଦ କରିଥିଲେ। ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମା’ଭାଲୁ ଦୁଇ ଛୁଆଙ୍କୁ ଧରି ହନୁମାନ ମନ୍ଦିର ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଶୁକ୍ରବାର ମକର ସଂକ୍ରାନ୍ତି ଥିବାରୁ ମନ୍ଦିରରେ ଥିବା ପୂଜା ନଡ଼ିଆ ସହ ଅନ୍ୟ କିଛି ପ୍ରସାଦ ଫଳ ରହିଥିଲା, ଯାହାକୁ ଦେଖି ଭାଲୁମାନେ ଖାଇବାକୁ ମନ୍ଦିରରେ ପଶିଥିଲେ। ମନ୍ଦିର ଗେଟ ଉପରେ ମଧ୍ୟ ଚଢ଼ି ଯାଉଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ, ଭାଲୁ କାହାର କିଛି କ୍ଷତି ନ କରି ପ୍ରତ୍ୟେକ ଦିନ ଆସନ୍ତି ଓ ରାତି ପାହିଲେ ନିକଟସ୍ଥ ଜଙ୍ଗଲକୁ ଚାଲିଯା’ନ୍ତି ।

Share