ପାଟଣା,୩୦ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମାଛଗଡ଼ ବିଟ ଜୟପୁର ଗ୍ରାମରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଗୁରୁବାର ସକାଳୁ ଗାଁ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ଭାଲୁ ଆକ୍ରମଣରେ ଗୁରୁତର ବ୍ୟକ୍ତି ଜଣକ ହେଉଛନ୍ତି କୃଷ୍ଣ ଚନ୍ଦ୍ର ମହାରଣା। ଭାଲୁ ଆକ୍ରମଣରେ ତାଙ୍କ ସମ୍ବେଦନଶୀଳ ଅଙ୍ଗ ସହ ଜଙ୍ଘରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ପ୍ରଥମେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।