ବଲାଙ୍ଗୀର ଅଫିସ, ୧୯ା୪: ବଲାଙ୍ଗୀର ସହରର ରାସ୍ତାକଡ଼ ପନିପରିବା ବିକାଳିଙ୍କୁ ସୋମବାର ସକାଳୁ ମ୍ୟୁନିସିପାଲଟି ଅଫିସର ଜଣେ ଅଧିକାରୀ ମାଡ଼ ମାରିଥିଲେ। ଏଥିରେ ଜଣେ ପରିବା ବିକାଳି ବେହୋସ୍ ହୋଇଯାଇଥିଲା ବେଳେ ଅନ୍ୟ ୪ଜଣ ମାଡ଼ ଖାଇବା ଜଣାପଡ଼ିଛି। ତେବେ ବେହୋସ ହୋଇଥିବା ବେପାରୀଜଣଙ୍କ ହେଲେ ଚନ୍ଦନଭାଟି ଗ୍ରାମର ରାଜେଶ ମେହେର। ଏହି ଘଟଣାକୁ ନେଇ ରାସ୍ତାକଡ଼ର ବେପାରୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତିି ।
ଅଧିକାରୀଜଣଙ୍କ ରାଜେଶଙ୍କୁ ପଥରରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ରାଜେଶ ବେହୋସ ହେବା ଦେଖି ଅଧିକାରୀ ଜଣଙ୍କ ସେଠାରୁ ଫେରାର ହୋଇଥିବା ପରିବା ବେପାରୀମାନେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେଲେ ମ୍ୟୁନିସିପାଲଟି ଅଫିସ ଘେରାଉ କରାଯିବ ବୋଲି ପରିବା ବେପାରୀମାନେ ଚେତାବନୀ ଦେଇଛନ୍ତି । ବେପାରୀମାନେ ବିଧାୟକଙ୍କୁ ମଧ୍ୟ ଅଫିସରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ପରେ ବିଧାୟକ ପୋଲିସକୁ ଡାକି ଆଲୋଚନା କରିଥିଲେ । ସହରରେ କରୋନା ସଂକ୍ରମଣ ବୃଦ୍ଧିପାଉଥିବାରୁ ଡେଲିମାର୍କେଟ ରାସ୍ତାକଡରେ ବସୁଥିବା ଉଠା ପରିବା ଦୋକାନୀଙ୍କୁ ସେଠାରୁ ଉଠିଯିବାକୁ ମ୍ୟୁନିସିପାଲଟି ଓ ପୋଲିସ ପକ୍ଷରୁ କୁହାଯାଉଥିବା ବେଳେ ଏ ଭଳି ଅଘଟଣ ଘଟିଥିବା ଜଣାପଡ଼ିଛି।