କେନ୍ଦୁଝର, ୧୬।୧୨(ଡି.ଏନ.ଏ.) କେନ୍ଦୁଝରର ଆରାଧ୍ୟ ଦେବତା ବଳଦେବଜୀଉ ମନ୍ଦିରର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ସହ ବଡଦାଣ୍ଡ ଓ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ସୌନ୍ଦର୍ଯ୍ୟ କରାଯିବ ବୋଲି ଜିଲାପାଳ ଆଶିଷ ଠାକରେ ପ୍ରକାଶ କରିଛନ୍ତି। ଷୋଡଶ ଶତାଦ୍ଦୀରେ ନିର୍ମିତ କେନ୍ଦୁଝରର ବଳଦେବଜୀଉ ମନ୍ଦିର ସମ୍ମୁଖରେ ଥିବା ବଡଦାଣ୍ଡ ଓ ସିଦ୍ଧମଠ ପର୍ଯ୍ୟନ୍ତ ରାସ୍ତାକୁ ଏହି ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟାରେ ସାମିଲ କରାଯିବ। ଏଥିପାଇଁ ଜିଲାପାଳ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି ା ବଡଦାଣ୍ଡ ଦୁଇ ପାର୍ଶ୍ୱରେ ଦିନ ଦିନ ଧରି ଠିଆ ହେଉଥିବା ଟ୍ରକ୍ଗୁଡିକ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱକୁ ପ୍ରଶସ୍ତିକରଣ କରାଯିବା ସହ ରଥଯାତ୍ରା ପାଇଁ ବାଧା ସୃଷ୍ଟି କରୁ ନ ଥିବା ବିଭିନ୍ନ ଅସ୍ଥାୟୀ ସେଡ କରାଯିବା ସହ ମନ୍ଦିର ସମ୍ମୁଖକୁ ମଧ୍ୟ ଆକର୍ଷଣୀୟ କରାଯିବ। ଗୁଣ୍ଡିଚା ମନ୍ଦିର ନିକଟସ୍ଥ ସ୍ଥାନକୁ ମଧ୍ୟ ବ୍ୟବହାର କରି ସୌନ୍ଦର୍ଯ୍ୟ କରାଯିବ ବୋଲି ଜିଲାପାଳ ପ୍ରକାଶ କରିଥିଲେ। ଝୋଟି, ଚିତା ପରି ଆଳଙ୍କାରିକ ସାଜସଜ୍ଜା ଓ ଫୁଲ ରହିବ ଓ ବଡଦାଣ୍ଡକୁ ଗୋରୁ ନ ଛାଡିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯିବ ବୋଲି ଜିଲାପାଳ କହିଛନ୍ତି। ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ଏବଂ ଆଗାମୀ ରଥଯାତ୍ରା ପୂର୍ବରୁ ଶେଷ କରିବା ପାଇଁ ଲକ୍ଷ୍ୟ ରହିବ ବୋଲି ଜିଲାପାଳ ସୂଚନା ଦେଇଥିଲେ। ଗୁଣ୍ଡିଚା ମନ୍ଦିରରୁ ସିଦ୍ଧମଠ ରାସ୍ତାକୁ ପ୍ରଶସ୍ତ କରାଯିବା ସହିତ ଏଠାରେ ଜଙ୍ଗଲ ବଗିଚା ସୃଷ୍ଟି କରାଯିବ ବୋଲି ସେ କହିଥିଲେ। ପ୍ରାରମ୍ଭରେ କେନ୍ଦୁଝର ଉପଜିଲାପାଳ ତଥା ମନ୍ଦିରର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର କିସ୍କୁ ପ୍ରାରମ୍ଭିକ ସୂଚନା ଦେବା ସହ ଜିଲା ପ୍ରଶାସନ ପକ୍ଷରୁ ଶ୍ରୀ ବଳଦେବଜୀଉ ମନ୍ଦିର, ବଡଦାଣ୍ଡ, ସିଦ୍ଧମଠ ଓ ସନ୍ନିକଟ ସ୍ଥାନମାନଙ୍କୁ ଆକର୍ଷଣୀୟ କରାଯିବ ବୋଲି ପ୍ରୟାସ ଆରମ୍ଭ ହୋଇଥିବା କଥା କହିଥିଲେ ା ଜିଲାପାଳଙ୍କ ମିନି କନଫରେନ୍ସ ହଲରେ ଅନୁଷ୍ଠିତ ଏହି ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି, ବରିଷ୍ଠ ନାଗରିକ ଡଃ ବନବିହାରୀ ମିଶ୍ର, ବରିଷ୍ଠ ଆଇନଜୀବୀ ନିମାଇଁ ଚରଣ ଦାଶ, ରାମଚନ୍ଦ୍ର ଦାଶ, ଜନ୍ମେଜୟ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ।